Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୧ ଦିନର ଅନଶନ ପରେ ହସ୍ପିଟାଲରେ ସୋନମ ୱାଙ୍ଗଚୁକ; ସ୍ୱାସ୍ଥ୍ୟାବସ୍ଥା ଅବନତି ପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପରିବେଶବିତ୍ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ୨୧ ଦିନିଆ ଅନଶନ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଶନିବାର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀ ଡିସିପି କାର୍ଯ୍ୟାଳୟର ସୂଚନା ଅନୁସାରେ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଆବଶ୍ୟକ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

ଏହି ଘଟଣାରେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ କହିଛନ୍ତି ଯେ, ପରିବାରର ସମ୍ମତି ଓ ଗତ ୨୦ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ଡାକ୍ତରଙ୍କ ପରାମର୍ଶ ବିନା ୱାଙ୍ଗଚୁକଙ୍କୁ କୌଣସି ଔଷଧ କିମ୍ବା ଇଣ୍ଟ୍ରାଭେନସ୍‌ ଫ୍ଲୁଇଡ୍‌ ଦିଆ ନଯାଉ। ତେବେ ୱାଙ୍ଗଚୁକଙ୍କୁ ହସ୍ପିଟାଲ ନିଆଯିବା ପରେ ପ୍ରଦର୍ଶନ ସ୍ଥଳରୁ ଅନ୍ୟମାନଙ୍କୁ ହଟାଇ ଦିଆଯାଇଛି| କିନ୍ତୁ କକ୍ରୋଚ୍‌ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ ପ୍ରଦର୍ଶନକାରୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ୱାଙ୍ଗଚୁକଙ୍କୁ ହଟାଇଦେଲେ ମଧ୍ୟ ଏହି ଆନ୍ଦୋଳନ ବନ୍ଦ ହେବ ନାହିଁ। ଜୁଲାଇ ୨୦ରେ ସଂସଦ ଅଭିମୁଖେ ପଦଯାତ୍ରା କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଏହି ଘଟଣା ପରେ ଦିଲ୍ଲୀର ଜନ୍ତର ମନ୍ତର, ସଫଦରଜଙ୍ଗ ହସ୍ପିଟାଲ ଏବଂ ନୂଆଦିଲ୍ଲୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ବହୁ ସଂଖ୍ୟକ ଯବାନ ମୁତୟନ କରାଯାଇଥିବାବେଳେ, ପ୍ରଦର୍ଶନକାରୀ ଏବଂ ସାଧାରଣ ଲୋକଙ୍କ ଯାତାୟାତ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ଲଗାଯାଇଛି। ପୁଲିସ କହିଛି, ୱାଙ୍ଗଚୁକଙ୍କୁ ହସ୍ପିଟାଲକୁ ନେବା ବେଳେ କିଛି ପ୍ରଦର୍ଶନକାରୀ ବାଧା ସୃଷ୍ଟି କରିଥିଲେ, ଯାହାଫଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

ସୂଚନାଯୋଗ୍ୟ, ସର୍ଭଭାରତୀୟ ସ୍ତରରେ ସବୁଠାରୁ ବଡ ମେଡିକାଲ ପରୀକ୍ଷା NEET ରେ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସେ ଜୁନ୍ ୨୮ରୁ ଅନଶନ କରି ଆସୁଥିଲେ | ଆଉ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ