ନୂଆଦିଲ୍ଲୀ: ୨୦୨୪ର ଲୋକସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଆଚମ୍ବିତ କରିବ। ଏହା କହିଛନ୍ତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ୧୦ ଦିନିଆ ଆମେରିକା ଗସ୍ତରେ ଥିବା ରାହୁଲ କହିଛନ୍ତି, ବିରୋଧୀ ଏକଜୁଟ୍ ଅଛନ୍ତି ଏବଂ ଆମେ ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ବେଦଖଲ କରିବୁ। ଓ୍ଵାଶିଂଟନର ନ୍ୟାସନାଲ ପ୍ରେସ୍ କ୍ଲବରେ ରାହୁଲ ଗାନ୍ଧୀ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଉପରୋକ୍ତ ଟିପ୍ପଣୀ କରିଛନ୍ତି ରାହୁଲ ଗାନ୍ଧୀ।
ସେ କହିଛନ୍ତି, ମୋତେ ଲାଗୁଛି ଲୋକସଭା ନିର୍ବାଚନର କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିବ। ଫଳାଫଳ ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିବ। ମିଳିତ ବିରୋଧୀ ମେଣ୍ଟ ବିଜେପିକୁ ପରାସ୍ତ କରିବ। ଦେଶର ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷରୁ କମ ସମୟ ରହିଛି ଏବଂ ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଏହି ଭବିଷ୍ୟତବାଣୀ ବେଶ ଗୁରୁତ୍ଵ ବହନ କରୁଛି।
କଂଗ୍ରେସର ଏହି ପୂର୍ବତନ ସାଂସଦ କହିଛନ୍ତି, ବିରୋଧୀଙ୍କ ମଧ୍ୟରେ ସକରାତ୍ମକ ଏକଜୁଟତା ରହିଛି। ଆମେ ସମସ୍ତେ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା କରୁଛୁ। ତଥାପି କିଛି ଜଟିଳତା ରହିଛି କାରଣ ଗୋଟିଏ ଗୋଟିଏ ରାଜ୍ୟରେ ବିରୋଧୀ ପରସ୍ପର ମଧ୍ୟରେ ନିର୍ବାଚନ ଲଢୁଛନ୍ତି। ଆମେ ସମସ୍ତଙ୍କୁ ଏକାଠି ନେବାକୁ ପ୍ରୟାସ କରୁଛୁ। ତେଣୁ ନିର୍ବାଚନରେ କେଉଁଠି ଆମକୁ ସମର୍ଥନ ନେବାକୁ ପଡ଼ିବ ଏବଂ କେଉଁଠି ସମର୍ଥନ ଦେବାକୁ ପଡ଼ିବ। ରାହୁଲ ଭରସା ପ୍ରକଟ କରିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀଙ୍କ ଏକ ମହାମେଣ୍ଟ ଦେଖିବାକୁ ମିଳିବ।
ସେ ନିଜର ଲୋକସଭା ସଦସ୍ୟତା ରଦ୍ଦ ଉପରେ ମଧ୍ୟ ଖୋଲାଖୋଲି ଆଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଲୋକସଭା ସଦ୍ୟସତା ହରାଇବା ମୋ ପାଇଁ ବହୁତ ବଡ଼ ଫାଇଦା ହେବ। ଏଥିରେ ମୋତେ ନିଜକୁ ବଦଳାଇବାରେ ବେଶ ସହାୟକ ହେବ। ମୋତେ ଲାଗୁଛି ସେହି ଲୋକମାନେ ଏମିତି କରି ମୋତେ ବଡ଼ ଉପହାର ଦେଇଛନ୍ତି।