Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦ ଦିନର ଅନଶନ ପରେ ହସ୍ପିଟାଲରେ ସୋନମ ୱାଙ୍ଗଚୁକ; ଚିକିତ୍ସା ନେବାକୁ କଲେ ମନା

ନୂଆଦିଲ୍ଲୀ: ୨୦ ଦିନ ଧରି ଅନଶନରେ ବସିଥିବା ସାମାଜିକ କର୍ମୀ ”ସୋନମ ୱାଙ୍ଗଚୁକଙ୍କୁ” ଶନିବାର ସକାଳେ ଦିଲ୍ଲୀ ପୁଲିସ ଜନ୍ତର ମନ୍ତରରୁ ଉଠାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଛି। ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ମେଡିକାଲ ବୁଲେଟିନ୍‌ରେ କୁହାଯାଇଛି ଯେ, ୱାଙ୍ଗଚୁକ ଶରୀରରେ ଜଳଶୂନ୍ୟତା ଓ ଦୁର୍ବଳତାର ଲକ୍ଷଣ ଥିବା ସତ୍ତ୍ୱେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିରା ମାଧ୍ୟମରେ ତରଳ ପଦାର୍ଥ (IV Fluids), ଓଆରଏସ୍‌ ଓ ଅନ୍ୟାନ୍ୟ ଔଷଧ ନେବାକୁ ମନା କରିଛନ୍ତି।

ହସ୍ପିଟାଲ ସୂଚନା ଅନୁସାରେ, ଶନିବାର ସକାଳ ୭ଟା ୪୦ ମିନିଟ୍‌ରେ ୱାଙ୍ଗଚୁକଙ୍କୁ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି ସମୟରେ ସେ ସଚେତନ ଥିବା ସହ ତାଙ୍କର ନାଡ଼ିସ୍ପନ୍ଦନ, ରକ୍ତଚାପ ଓ ଅକ୍ସିଜେନ୍‌ ସ୍ତର ସ୍ୱାଭାବିକ ଥିଲା। ତେବେ ଜଳଶୂନ୍ୟତାର ଲକ୍ଷଣ ଦେଖାଯାଇଥିବାରୁ ଡାକ୍ତରମାନେ ତାଙ୍କୁ ଚିକିତ୍ସା ନେବା ପାଇଁ ଲଗାତାର ପରାମର୍ଶ ଦେଉଛନ୍ତି। କିନ୍ତୁ ସେ ଚିକିତ୍ସା ନେବା ପାଇଁ ମନା କରୁଛନ୍ତି | ଏପଟେ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ତାଙ୍କ ସମ୍ମତି ବିନା କୌଣସି ଚିକିତ୍ସା ନ କରିବାକୁ ହସ୍ପିଟାଲକୁ ଅନୁରୋଧ କରିବା ସହ ସ୍ୱାମୀଙ୍କୁ ଡିସଚାର୍ଜ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ , ସୋନମ ୱାଙ୍ଗଚୁକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଗତ ୨୦ ଦିନ ଧରି ଅନଶନ କରୁଥିଲେ। ଦୁଇ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜୀବନ ରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡାକ୍ତରମାନଙ୍କ କହିବା ଅନୁସାରେ, ଅନଶନ ଯୋଗୁଁ ୱାଙ୍ଗଚୁକଙ୍କ ଓଜନ ପ୍ରାୟ ୯ କିଲୋଗ୍ରାମ କମିଯାଇଛି ଏବଂ ଏହା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ଉପରେ ଗୁରୁତର ପ୍ରଭାବ ପକାଇପାରେ | ଯାହାଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ | ଦିଲ୍ଲୀ ପୁଲିସ କହିଛି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଡାକ୍ତରୀ ପରାମର୍ଶ ଆଧାରରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories