ଜୋର୍ଡାନରେ ଇରାନୀ ଆକ୍ରମଣ: ୨ ଆମେରିକୀୟ ସୈନ୍ୟ ନିହତ, ଜଣେ ନିଖୋଜ; ଆମେରିକାକୁ ଇରାନର କଡ଼ା ଚେତାବନୀ
ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ମଧ୍ୟରେ ତିବ୍ର ହେଉଥିବା ସଂଘର୍ଷ ମଧ୍ୟରେ ଜୋର୍ଡାନରେ ହୋଇଥିବା ଇରାନୀ ଆକ୍ରମଣରେ ଦୁଇ ଜଣ ଆମେରିକୀୟ ସୈନ୍ୟ ନିହତ ହୋଇଥିବାବେଳେ ଆଉ ଜଣେ ସୈନ୍ୟ ନିଖୋଜ ଥିବା ସୂଚନା ଦେଇଛି ଆମେରିକା। ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ (CENTCOM) ଅନୁସାରେ, ଏହି ଘଟଣା ଶୁକ୍ରବାର ଘଟିଥିଲା। ଏହା ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ନିହତ ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିବାବେଳେ ୪୨୦ରୁ ଅଧିକ ଆହତ ହୋଇଛନ୍ତି।
ଆମେରିକାର ପକ୍ଷରୁ ଲଗାତାର ସପ୍ତମ ଦିନ ବିମାନ ଆକ୍ରମଣ ପରେ ଇରାନ ମଧ୍ୟ ପ୍ରତିଆକ୍ରମଣ ଜୋରଦାର କରିଛି। ଇରାନ ପକ୍ଷରୁ ସୌଦି ଆରବ, ଜୋର୍ଡାନ ଏବଂ ଆମେରିକାର ଅନ୍ୟ ଗଲ୍ଫ ସହଯୋଗୀ ଦେଶଗୁଡ଼ିକୁ ମଧ୍ୟ ଲକ୍ଷ୍ୟ କରାଯାଇଥିବା କୁହାଯାଉଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ ନିହତ ସୈନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, “ଏହି ବୀରମାନଙ୍କ ବଳିଦାନ ଆମର ସଂକଳ୍ପକୁ ଆହୁରି ଦୃଢ଼ କରିବ।”
ଏପଟେ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଆମେରିକାକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯୁଦ୍ଧକୁ ଉସକାଇବାକୁ ଚେଷ୍ଟା କରୁଥିବା ଆମେରିକାକୁ ଆହୁରି “ଭାରୀ ମୂଲ୍ୟ ଓ ଅପମାନ” ସହିବାକୁ ପଡ଼ିବ। ସେ ଅଭିଯୋଗ କରିଛନ୍ତି ଯେ, ଅନ୍ତରୀଣ ଯୁଦ୍ଧବିରତି ଚୁକ୍ତିକୁ ବାରମ୍ବାର ଉଲ୍ଲଂଘନ କରି ଆମେରିକା ନିଜ ପ୍ରତିଶ୍ରୁତିର ବିଶ୍ୱସନୀୟତା ହରାଇଛି। ଫେବୃଆରୀରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ପରଠାରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ବର୍ତ୍ତମାନ ପୁଣି ଥରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କାକୁ ବଢ଼ାଇ ଦେଇଛି।

