ଆଜିଠୁ ସଂସଦର ମୌସୁମୀ ଅଧିବେଶନ; ୭ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ହୋଇପାରେ ପାରିତ!
ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନ ପୂର୍ବରୁ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ବୈଠକରେ ୨୦ ଜଣ ବିଦ୍ରୋହୀ ସାଂସଦଙ୍କୁ ଆମନ୍ତ୍ରଣ କରାଯିବାକୁ ବିରୋଧ କରି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ କିଛି ସମୟ ପାଇଁ ବୈଠକ ବର୍ଜନ କରିଥିଲେ।
ଚଳିତ ଅଧିବେଶନରେ କେନ୍ଦ୍ର ସରକାର ୭ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି। ସେଥିରେ ‘ବନ୍ଦେ ମାତରମ୍’ ସମ୍ମାନ ରକ୍ଷା ବିଲ୍, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍, ଆୟକର ସଂଶୋଧନ ବିଲ୍–୨୦୨୬, ସୁପ୍ରିମକୋର୍ଟ ସଂଶୋଧନ ବିଲ୍–୨୦୨୬ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିକାଶ ସଂଶୋଧନ ବିଲ୍–୨୦୨୬ ଭଳି ପ୍ରସ୍ତାବିତ ବିଲ୍ ସାମିଲ ରହିଛି।
ଏହାଛଡ଼ା, ଗତ ଏପ୍ରିଲରେ ସଂସଦରେ ପାରିତ ହୋଇପାରିନଥିବା ‘ମହିଳା ସଂରକ୍ଷଣ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍’ ମଧ୍ୟ ପୁଣିଥରେ ଆଗତ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ଗତ କିଛି ମାସ ମଧ୍ୟରେ ବଦଳିଥିବା ରାଜନୈତିକ ସମୀକରଣକୁ ନେଇ ସରକାର ଏହି ବିଲ୍ଗୁଡ଼ିକୁ ପାରିତ କରିବା ପାଇଁ ପ୍ରୟାସ କରିପାରନ୍ତି। ସେପଟେ ଅଧିବେଶନରେ ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି କରିଥିବାରୁ ଅଧିବେଶନ ସରଗରମ ରହିବାର ସମ୍ଭାବନା ରହିଛି।

