ହସ୍ପିଟାଲରୁ ସୋନମ ୱାଙ୍ଗଚୁକଙ୍କ ବଡ଼ ଘୋଷଣା! ୩ ସର୍ତ୍ତ ପୂରଣ ହେଲେ ଶେଷ କରିବେ ଅନଶନ
ନୂଆଦିଲ୍ଲୀ: ୨୦ ଦିନରୁ ଅଧିକ ସମୟ ଧରି ଅନଶନରେ ଥିବା ଶିକ୍ଷାବିତ୍ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ନିଜର ଉପବାସ ଶେଷ କରିବା ପାଇଁ ୩ଟି ସର୍ତ୍ତ ରଖିଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ହାତଲେଖା ଚିଠି ଜାରି କରି ସେ କହିଛନ୍ତି, ସରକାର ଶିକ୍ଷା ବ୍ୟବସ୍ଥାର ବିଫଳତା, ବିଶେଷକରି NEET ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ ଜବାବଦେଲେ ପରେ ସେ ଅନଶନ ଭାଙ୍ଗିବେ। ଏହାସହ ସଂସଦରେ ଏହି ପ୍ରସଙ୍ଗ ଉଠାଇବାକୁ ରାଜନୈତିକ ଦଳମାନେ ନିଶ୍ଚିତତା ଦେବାକୁ ସେ ଦ୍ୱିତୀୟ ସର୍ତ୍ତ ରଖିଛନ୍ତି।
ତୃତୀୟ ସର୍ତ୍ତରେ ୱାଙ୍ଗଚୁକ କହିଛନ୍ତି, ଯଦି ସ୍ୱାସ୍ଥ୍ୟଗତ କାରଣରୁ ସେ ସଂସଦ ପର୍ଯ୍ୟନ୍ତ ପଦଯାତ୍ରାରେ ଯୋଗ ଦେଇ ନ ପାରନ୍ତି ତେବେ , ତେବେ ପ୍ରମୁଖ ରାଜନୈତିକ ନେତାମାନେ ହସ୍ପିଟାଲକୁ ଆସି ତାଙ୍କୁ ଅନ୍ୟ ଦୁଇଟି ସର୍ତ୍ତ ପୂରଣ କରାଯିବ ବୋଲି ଲିଖିତ କିମ୍ବା ସ୍ପଷ୍ଟ ଆଶ୍ୱାସନ ଦିଅନ୍ତୁ । ଏହାସହ ଚିଠିର ଶେଷ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ “ବେଆଇନ ଭାବେ ଅଟକ ରଖାଯାଇଛି” ଏବଂ ତାଙ୍କର ଚଳାଚଳ, କଥାବାର୍ତ୍ତା ଓ ଯୋଗାଯୋଗ ସ୍ୱାଧୀନତା ଉପରେ କଟକଣା ଲାଗିଛି।
ଉଲ୍ଲେଖଯୋଗ୍ୟ, ଜୁନ୍ ୨୮ରୁ ଦିଲ୍ଲୀର ଜନ୍ତର ମନ୍ତରରେ NEET ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସୋନମ ୱାଙ୍ଗଚୁକ ଅନଶନ ଆରମ୍ଭ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବନତି ହେବା ପରେ ପୋଲିସ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ଏହି ମଧ୍ୟରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଅଦାଲତ ସରକାରଙ୍କ ପଦକ୍ଷେପକୁ ଯଥାର୍ଥ ବୋଲି କହି ଅନ୍ତରୀଣ ରିଲିଫ୍ ଦେବାକୁ ମନା କରିଛନ୍ତି।

