୪ ବର୍ଷର ଶିଶୁକନ୍ୟାକୁ ହତ୍ୟା ଘଟଣା ; ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତ ନିହତ
ଅହମଦାବାଦ: ଗୁଜରାଟର ଆନନ୍ଦ ଜିଲ୍ଲାରେ ୪ ବର୍ଷର ଶିଶୁକନ୍ୟା ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେଶ ପରମାର ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୁଲିସ କହିଛି, ହେପାଜତରେ ନେଇ ଯାଉଥିବା ବେଳେ ଅଭିଯୁକ୍ତ ଖସି ପଳାଇବାକୁ ଉଦ୍ୟମ କରିବା ସହ ଛୁରୀରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିବା ବେଳେ ଅଭିଯୁକ୍ତ ଗୁରୁତର ଆହତ ହୋଇଥିଲା। ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।
ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତକୁ ପଚରାଉଚରା ପାଇଁ ନେଇଯାଉଥିବା ସମୟରେ ସେ ବାନ୍ତି ଲାଗୁଥିବା କହି ଗାଡ଼ି ଅଟକାଇବାକୁ କହିଥିଲା। ଗାଡ଼ିରୁ ଓହ୍ଲାଇବା ପରେ ସେ ହଠାତ୍ ଛୁରୀ ବାହାର କରି ପୁଲିସ ଉପରେ ଆକ୍ରମଣ କରିଥିଲା। ଏହି ଘଟଣାରେ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ପୁଲିସର ବାରମ୍ବାର ସତର୍କ କରେଇବା ସତ୍ତ୍ୱେ ଅଭିଯୁକ୍ତ ଆକ୍ରମଣ ଜାରି ରଖିଥିବାରୁ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ପଡ଼ିଥିଲା।
ଉଲ୍ଲେଖଯୋଗ୍ୟ, ଆନନ୍ଦ ଜିଲ୍ଲାର ବାସଦ ରେଳ ଷ୍ଟେସନରୁ ୪ ବର୍ଷର ଜଣେ ଶିଶୁକନ୍ୟା ନିଖୋଜ ହେବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତରେ ଅପହରଣ ଓ ହତ୍ୟା ସହ ଯୌନ ନିର୍ଯାତନାର ସନ୍ଦେହ କରାଯାଉଛି | କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ହିଁ ତଦନ୍ତ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

