ଜେ.ପି. ନଡ୍ଡାଙ୍କ ସହ CJP ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କ ବୈଠକ; ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ ସୋନମ ସୋନମ ୱାଙ୍ଗଚୁକଙ୍କ ରିଲିଜକୁ ନେଇ ଦେଲେ ଦାବିପତ୍ର
ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ସୋମବାର କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିନିଧିମାନେ ସାକ୍ଷାତ କରି ନିଜ ଦାବିପତ୍ର ହସ୍ତାନ୍ତର କରିଛନ୍ତି। CJP ପକ୍ଷରୁ ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ପ୍ରାୟ ୧୦ ମିନିଟ୍ ଧରି ନଡ୍ଡାଙ୍କ ବାସଭବନରେ ଆଲୋଚନା କରିଥିଲେ। ଏହି ସମୟରେ ସେମାନେ NEET-UG ପ୍ରଶ୍ନପତ୍ର ଲିକ୍ ସମେତ ବିଭିନ୍ନ ପ୍ରବେଶିକା ପରୀକ୍ଷାର ଅନିୟମକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ପୁନର୍ବାର ଉଠାଇଥିଲେ। ଏହାସହ ଅନ୍ୟ ଦୁଇଟି ସର୍ତ୍ତ ମଧ୍ୟ ରଖିଛନ୍ତି | ନିଟ ମେଡିକାଲ ସ୍ଥଗିତକୁ ନେଇ ମୃତ୍ୟୁ ବରଣ କରିଥିବା ପରୀକ୍ଷାର୍ଥୀଙ୍କୁ ଏକ କୋଟି ସହାୟତା ରାଶି ପ୍ରଦାନ କରିବା ଏବଂ ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ହସ୍ପିଟାଲରୁ ରିଲିଜ କରିବା | ଏହି ତିନୋଟି ସର୍ତ୍ତ ପୂରଣ ହେଲେ ଆନ୍ଦୋଳନ ବନ୍ଦ ହେବ ବୋଲି ସେମାନେ କହିଛନ୍ତି |
ବୈଠକ ପରେ ସୌରଭ ଦାସ ସୋସିଆଲ ମିଡିଆରେ କହିଛନ୍ତି ଯେ, ଜେ.ପି. ନଡ୍ଡା ସେମାନଙ୍କ ଦାବିପତ୍ର ଗ୍ରହଣ କରି ଏହାକୁ ସରକାରଙ୍କ ଉଚିତ ସ୍ତରରେ ଆଲୋଚନା କରିବେ ବୋଲି ଆଶ୍ୱାସନ ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ପ୍ରତିଶ୍ରୁତି ମିଳିନଥିବାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। CJP ପକ୍ଷରୁ ଦାବି କରାଯାଇଛି ଯେ, NEET-2026 ପ୍ରଶ୍ନପତ୍ର ଲିକ୍, CBSE ଦ୍ୱାଦଶ ଶ୍ରେଣୀ ପୋର୍ଟାଲ ସମସ୍ୟା ଏବଂ CUET ପରୀକ୍ଷା ବିଳମ୍ବ ଭଳି ଘଟଣା ପାଇଁ ଶିକ୍ଷାମନ୍ତ୍ରୀଙ୍କ ଉତ୍ତରକୁ ଅପେକ୍ଷା ରହିଛି।
ଅନ୍ୟପଟେ ଜେପି ନଡ୍ଡା କହିଛନ୍ତିଯେ, ଏହା ପୂର୍ବରୁ କୌଣସି ଲିଖିତ ଆକାରରେ ତାଙ୍କୁ ଦାବି ପତ୍ର ପ୍ରଦାନ କିମ୍ବା ସୂଚନା ଦିଆଯାଇନଥିଲା | ଆଜି ଆନ୍ଦୋଳନ ପରେ ତାଙ୍କୁ ଲିକିତା ଆକାରରେ ଦାବି ପତ୍ର ମିଳିଛି | ତେବେ ଦାବିପତ୍ର ମିଳିବ ପରେ ଆଲୋଚନା ମୂଳକ ପଦକ୍ଷେପ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି |
ଏହାପୂର୍ବରୁ CJPର ଆହ୍ୱାନରେ ଶତାଧିକ ପ୍ରଦର୍ଶନକାରୀ କେନ୍ଦ୍ରୀୟ ଦିଲ୍ଲୀରେ ଏକତ୍ରିତ ହୋଇ ସଂସଦ ଅଭିମୁଖେ ପଦଯାତ୍ରା କରିବାକୁ ଉଦ୍ୟମ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ସେମାନଙ୍କୁ ଅଟକାଇଥିଲା। ସୂତ୍ର ଅନୁସାରେ, ଜନ୍ତରମନ୍ତରରୁ ପ୍ରଦର୍ଶନକାରୀଙ୍କୁ ବଳପୂର୍ବକ ହଟାଯାଇନଥିବା ବେଳେ, ଆନ୍ଦୋଳନ ଏବେ ମଧ୍ୟ ଜାରି ରହିଛି।

