Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷାର ତାଣ୍ଡବ! ବନ୍ୟା-ଭୂସ୍ଖଳନରେ ୨୨ ମୃତ, ୩୦ ନିଖୋଜ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ବିଶେଷକରି ପୁଞ୍ଚ୍ ଓ ରାଜୌରୀ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୩୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ଆଜି ଏକ ପରିବାରର ୭ ଜଣ ସଦସ୍ୟ ବନ୍ୟାପାଣିରେ ଭାସିଯାଇଥିବା ଘଟଣା ସାମ୍ନାକୁ ଆସିଛି।

ସବୁଠାରୁ ଅଧିକ କ୍ଷୟକ୍ଷତି ପୁଞ୍ଚ୍ ଜିଲ୍ଲାର ସୁରନକୋଟ୍ ଅଞ୍ଚଳରେ ଘଟିଛି। ଭୂସ୍ଖଳନରେ ଏକ ଘର ସମ୍ପୂର୍ଣ୍ଣ ମାଟିତଳେ ପୋତି ହୋଇଯାଇଥିବାବେଳେ ନୂନାବାଣ୍ଡି ଓ ସାଙ୍ଗଲେୟାନୀ ଗାଁରେ ଘର ଭୁଶୁଡ଼ି ପଡ଼ି ଅନେକ ଜୀବନହାନି ଘଟିଛି। ବନ୍ୟାର ପ୍ରଖର ସ୍ରୋତରେ ଅନେକ ଦୋକାନ ଓ ସମ୍ପତ୍ତି ଭାସିଯାଇଛି। ଏହା ସହ ପ୍ରଭାବିତ ଅଞ୍ଚଳରେ ବିଜୁଳି ଓ ମୋବାଇଲ୍ ଯୋଗାଯୋଗ ସେବା ମଧ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି।

ପରିସ୍ଥିତିକୁ ଦେଖି ପୁଲିସ, ଭାରତୀୟ ସେନା ଏବଂ ଉଦ୍ଧାରକାରୀ ଟିମ୍‌ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ରାହାତ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ପାଣିପାଗ ବିଭାଗ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବାର ସତର୍କବାଣୀ ଜାରି କରିଥିବାରୁ ପ୍ରଶାସନ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories