୨୩ ବର୍ଷର ପ୍ରତିଶୋଧ: ବାପାଙ୍କ ହତ୍ୟାକାରୀଙ୍କୁ ହତ୍ୟା କଲା ପୁଅ! ୪ ଅଭିଯୁକ୍ତ ଗିରଫ
ପୁଣେ: ୨୩ ବର୍ଷ ତଳର ଶତ୍ରୁତା ଶେଷରେ ନେଲା ରକ୍ତାକ୍ତ ପ୍ରତିଶୋଧର ରୂପ। ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଜଣେ ୨୪ ବର୍ଷୀୟ ଯୁବକ ନିଜ ସହଯୋଗୀଙ୍କ ସହ ମିଶି ଅଭିଯୁକ୍ତଙ୍କୁ ହତ୍ୟା କରିଛି | ଏହି ଅଭିଯୋଗରେ ପୋଲିସ ଗିରଫ କରିଛି। ମୃତକ ଜଣକ ହେଲେ ୪୦ ବର୍ଷୀୟ ସଞ୍ଜୟ ବାବୁରାଓ କାଡୁ-ଦେଶମୁଖ। ଜୁଲାଇ ୧୧ରେ ପୁଣେର ପୁରୁଣା କାତ୍ରାଜ ଟନେଲ୍ ନିକଟରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା।
ପୁଣେ ଗ୍ରାମାଞ୍ଚଳ ପୋଲିସର ସ୍ଥାନୀୟ ଅପରାଧ ଶାଖା (LCB) ତଦନ୍ତ ବେଳେ ବୈଷୟିକ ପ୍ରମାଣ ଆଧାରରେ ମନ୍ଥନ ବୈଦ୍ୟ (୨୪) ଏବଂ ସୌରଭ ପାରଦେଶୀଙ୍କୁ ସନ୍ଦେହଭାଜନ ଭାବେ ଚିହ୍ନଟ କରିଥିଲା। ଜୁଲାଇ ୧୪ରେ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ମିଜାନ୍ ଶେଖ ଓ ସନ୍ଦୀପ କୋରିଙ୍କ ସହଯୋଗରେ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲେ।
ପୋଲିସ ସୂଚନା ଅନୁସାରେ, ୨୦୦୩ ମସିହାରେ ସାମାନ୍ୟ ବିବାଦକୁ କେନ୍ଦ୍ର କରି ସଞ୍ଜୟ କାଡୁ-ଦେଶମୁଖ ମନ୍ଥନଙ୍କ ବାପା ଦିନେଶ ବୈଦ୍ୟଙ୍କୁ ହତ୍ୟା କରିଥିଲେ। ସେତେବେଳେ ମନ୍ଥନଙ୍କ ବୟସ ମାତ୍ର ୬ ମାସ ଥିଲା। ବାପାଙ୍କ ହତ୍ୟାକୁ ନେଇ ବର୍ଷ ବର୍ଷ ଧରି ମନରେ ପ୍ରତିଶୋଧର ଭାବନା ରଖିଥିବା ମନ୍ଥନ ଶେଷରେ ସହଯୋଗୀଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି। ଘଟଣାବେଳେ କାଡୁ-ଦେଶମୁଖ ଅନ୍ୟ ଏକ ଅପରାଧିକ ମାମଲାରେ ଜାମିନରେ ବାହାରେ ଥିଲେ। ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

