କୋଲେଷ୍ଟ୍ରଲ ବଢ଼ୁଛିକି? ଔଷଧ ନୁହେଁ, ପ୍ରଥମେ ବଦଳାନ୍ତୁ ଜୀବନଶୈଳୀ
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଜଙ୍କ ଫୁଡ୍ର ଅତ୍ୟଧିକ ସେବନ, ଅନିୟମିତ ଖାଦ୍ୟାଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ କୋଲେଷ୍ଟ୍ରଲ ସମସ୍ୟା ଦ୍ରୁତ ହାରରେ ବଢ଼ୁଛି। ରକ୍ତ ପରୀକ୍ଷାରେ କୋଲେଷ୍ଟ୍ରଲ ବଢ଼ିଥିବା ଜଣାପଡ଼ିବା ମାତ୍ରେ ଅନେକ ଲୋକ ନିଜ ଇଚ୍ଛାରେ ଔଷଧ ଖାଇବା ଆରମ୍ଭ କରିଦିଅନ୍ତି। ଅନ୍ୟପକ୍ଷରେ କେତେକ ଲୋକ ଏହାକୁ ସାଧାରଣ ସମସ୍ୟା ଭାବି ଅବହେଳା କରନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କୋଲେଷ୍ଟ୍ରଲ ବଢ଼ିଲେ ସବୁ କ୍ଷେତ୍ରରେ ଔଷଧ ଆବଶ୍ୟକ ହୁଏନାହିଁ। ଚିକିତ୍ସା ପଦ୍ଧତି ବ୍ୟକ୍ତିଙ୍କ ବୟସ, LDL (ଖରାପ କୋଲେଷ୍ଟ୍ରଲ)ର ମାତ୍ରା, ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଧୂମପାନ ଅଭ୍ୟାସ ଏବଂ ହୃଦରୋଗର ସମସ୍ୟା ଭଳି ଅନେକ କାରଣ ଉପରେ ନିର୍ଭର କରେ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବରୁ ହୃଦରୋଗ କିମ୍ବା ଡାଇବେଟିସ୍ ନାହିଁ ଏବଂ LDL କୋଲେଷ୍ଟ୍ରଲ ୧୦୦ରୁ ୧୫୯ mg/dL ମଧ୍ୟରେ ରହିଛି, ତେବେ ପ୍ରଥମେ ୮ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ। ଏହି ସମୟ ମଧ୍ୟରେ ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ ଏବଂ ତମାଖୁ ଓ ଧୂମପାନଠାରୁ ଦୂରେ ରହିବା ଭଳି ଅଭ୍ୟାସ ଅନେକଙ୍କ କୋଲେଷ୍ଟ୍ରଲକୁ ସ୍ୱାଭାବିକ ସ୍ତରକୁ ଆଣିପାରେ। କିନ୍ତୁ ଯଦି LDL କୋଲେଷ୍ଟ୍ରଲ ୧୯୦ mg/dL କିମ୍ବା ତା’ଠାରୁ ଅଧିକ ରହିଛି କିମ୍ବା ପୂର୍ବରୁ ହାର୍ଟ ଆଟାକ୍, ଷ୍ଟ୍ରୋକ୍, ବାଇପାସ୍ ସର୍ଜରି ଭଳି ହୃଦଜନିତ ସମସ୍ୟା ହୋଇଥାଏ, ସେପରି କ୍ଷେତ୍ରରେ ଷ୍ଟାଟିନ୍ ଭଳି କୋଲେଷ୍ଟ୍ରଲ କମାଇବା ଔଷଧ ଆବଶ୍ୟକ ହୋଇପାରେ। ତେଣୁ କେବଳ ରିପୋର୍ଟ ଦେଖି ନିଜ ଇଚ୍ଛାରେ ଔଷଧ ଆରମ୍ଭ କରିବା କିମ୍ବା ବନ୍ଦ କରିବା କେବେବି ଉଚିତ ନୁହେଁ।
କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରଖିବା ପାଇଁ ସଠିକ୍ ଜୀବନଶୈଳୀ ହିଁ ସବୁଠାରୁ ବଡ଼ ଔଷଧ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପ୍ରତିଦିନ ଅତିକମରେ ୩୦ ମିନିଟ୍ ହାଟିବା କିମ୍ବା ବ୍ୟାୟାମ କରିବା, ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା, ଅଧିକ ତେଲ, ଘିଅ, ଫାଷ୍ଟ ଫୁଡ୍ ଏବଂ ପ୍ରସ୍ତୁତ ଖାଦ୍ୟର ସେବନ କମାଇବା ଅତ୍ୟନ୍ତ ଜରୁରୀ। ଏହା ସହ ଦୈନନ୍ଦିନ ଖାଦ୍ୟରେ ଫଳ, ସବୁଜ ପନିପରିବା, ଓଟ୍ସ, ଡାଲି, ସମ୍ପୂର୍ଣ୍ଣ ଶସ୍ୟ ଏବଂ ଫାଇବରଯୁକ୍ତ ଖାଦ୍ୟକୁ ସାମିଲ କରିବା ଉଚିତ। ଧୂମପାନ ଓ ଅତ୍ୟଧିକ ମଦ୍ୟପାନରୁ ଦୂରେ ରହିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ମଧ୍ୟ ଆବଶ୍ୟକ। ମନେ ରଖନ୍ତୁ, କୋଲେଷ୍ଟ୍ରଲ ବଢ଼ିବା ହୃଦରୋଗର ଝୁମ୍ପ ବଢ଼ାଇପାରେ। ତେଣୁ ଏହାକୁ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ସଠିକ୍ ଚିକିତ୍ସା ଏବଂ ସୁସ୍ଥ ଜୀବନଶୈଳୀ ଅପଣାଇବା ହିଁ ସବୁଠାରୁ ଭଲ ପଦକ୍ଷେପ।

