ମୋଦୀଙ୍କୁ ଭେଟିଲେ ଶରଦ ପାୱାର ଓ ସୁପ୍ରିୟା ସୁଳେ; NDAକୁ NCP(SP) ସମର୍ଥନ ନେଇ ଜୋରଦାର ଚର୍ଚ୍ଚା
ସଂସଦରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ବିରୋଧରେ ଜୋରଦାର ପ୍ରତିବାଦ ଚାଲିଥିବା ବେଳେ ଏକ ରାଜନୈତିକ ଘଟଣା ଦେଶର ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଏନ୍ସିପି (ଶରଦ ପାୱାର ଗୋଷ୍ଠୀ) ସଭାପତି ଶରଦ ପାୱାର ଓ ସାଂସଦ ସୁପ୍ରିୟା ସୁଳେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ହସଖୁସିରେ ଆଲୋଚନା ହୋଇଥିବା ଫଟୋ ସାମ୍ନାକୁ ଆସିବା ପରେ ଏହି ସାକ୍ଷାତକାରକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଶରଦ ପାୱାର ବୈଠକ ସମୟରେ ଦେଶର କୃଷକମାନଙ୍କ ସମସ୍ୟା, ଜଳସେଚନ ପ୍ରକଳ୍ପ ଓ କୃଷି କ୍ଷେତ୍ର ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରି ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଏହି ସାକ୍ଷାତକାର ଏଭଳି ସମୟରେ ହୋଇଛି, ଯେତେବେଳେ କେନ୍ଦ୍ର ସରକାର ସଂସଦରେ ପୁଣିଥରେ ପରିସୀମନ (Delimitation) ବିଲ୍ ଆଣିବାକୁ ପ୍ରସ୍ତୁତି କରୁଛନ୍ତି ଏବଂ ଏହା ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ସମର୍ଥନ ହାସଲ କରିବାର ଉଦ୍ୟମ ଚାଲିଛି। ଏହି ପରିପ୍ରେକ୍ଷୀରେ ଏନ୍ସିପି (SP)ର ୮ ଜଣ ସାଂସଦଙ୍କ ସମର୍ଥନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
ଏହା ପୂର୍ବରୁ ସୁପ୍ରିୟା ସୁଳେ କହିଥିଲେ ଯେ, ସମସ୍ତ ରାଜ୍ୟରେ ୫୦ ପ୍ରତିଶତ ଆସନ ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାର ଲିଖିତ ନିଶ୍ଚିତତା ଦେଲେ ତାଙ୍କ ଦଳ ପରିସୀମନ ବିଲ୍କୁ ସମର୍ଥନ କରିବା ନେଇ ବିଚାର କରିବ। ଅନ୍ୟପଟେ, ଶରଦ ପାୱାରଙ୍କ ଗୋଷ୍ଠୀ NDAରେ ଯୋଗ ଦେଇପାରେ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ସୂତ୍ର ଅନୁଯାୟୀ, BJP ସ୍ପଷ୍ଟ କରିଛି ଯେ ଶରଦ ପାୱାର ଓ ଅଜିତ ପାୱାରଙ୍କ ଦୁଇଟି NCP ଗୋଷ୍ଠୀ ଏକାଠି ମିଶିବା ପରେ ହିଁ NDA ସହ ଔପଚାରିକ ମେଣ୍ଟ ସମ୍ଭବ। ଏପରି ସ୍ଥିତିରେ ଏହି ଉଚ୍ଚସ୍ତରୀୟ ବୈଠକ ମହାରାଷ୍ଟ୍ର ଓ ଜାତୀୟ ରାଜନୀତିରେ ନୂଆ ସମୀକରଣର ସଙ୍କେତ ଦେଉଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।

