Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରିପଲ ମର୍ଡର ପୂର୍ବରୁ AIର ସହାୟତା ନେଇଥିଲା ଅଭିଯୁକ୍ତ! ଗୁଗୁଲ୍ ଜେମିନିରେ ଖୋଜିଥିଲା ବିଷ, ଶବ ପୋଡ଼ିବା ଓ ପ୍ରମାଣ ନଷ୍ଟ କରିବା ଉପାୟ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ବହୁଚର୍ଚ୍ଚିତ ତିନିଜଣଙ୍କ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ହତ୍ୟା ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ଗୁଗୁଲର AI ଚାଟବଟ୍ Gemini ବ୍ୟବହାର କରି ଅସ୍ତ୍ରଶସ୍ତ୍ର, ଶବ ନଷ୍ଟ କରିବାର ଉପାୟ, ଧୀରେ ଧୀରେ ବିଷ ଦେବା ପଦ୍ଧତି ଏବଂ ପୋଲିସଠାରୁ କିପରି ବଞ୍ଚିହେବ ସେ ସମ୍ପର୍କରେ ସୂଚନା ଖୋଜିଥିବା ପୋଲିସ ଦାବି କରିଛି।

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଏକ ଫର୍ଣ୍ଣେସ୍ ସ୍ଥାପନ କରିଥିଲା। କ୍ଲାଉଡ୍ କିଚେନ୍ ଆରମ୍ଭ କରିବା ଆଳରେ ସେ ଫର୍ଣ୍ଣେସ୍ ଓ ଅନ୍ୟାନ୍ୟ ଉପକରଣ କିଣି ରଖିଥିଲା, ଯାହାକୁ ଶବ ନଷ୍ଟ କରିବାରେ ବ୍ୟବହାର କରିବାକୁ ଯୋଜନା କରିଥିବା ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି। ତଦନ୍ତ ଅନୁସାରେ, ପ୍ରଥମେ ଅଭିଯୁକ୍ତ ମହିଳାଙ୍କ ମାଆଙ୍କୁ ଆକ୍ରମଣ କରିଥିଲା। ପରେ ବାପା ଓ ଭଉଣୀ ବାହାରକୁ ଆସିବା ପରେ ସେମାନଙ୍କ ଉପରେ ମଧ୍ୟ ଛୁରିରେ ଆକ୍ରମଣ କରିଥିଲା। ଆହତ ଅବସ୍ଥାରେ ବାପା ତଳ ମହଲାକୁ ଦୌଡ଼ି ଯାଇଥିବାବେଳେ ଭଉଣୀ ଘଟଣାସ୍ଥଳରେ ଲୁଟି ପଡ଼ିଥିଲେ।

ପୋଲିସ କହିଛି, ଅଭିଯୁକ୍ତଙ୍କ ସହଯୋଗୀ ମହିଳା ମଧ୍ୟ ସମଗ୍ର ଷଡ଼ଯନ୍ତ୍ର ବିଷୟରେ ଅବଗତ ଥିଲେ। ଆର୍ଥିକ ସମସ୍ୟା ଓ ମହିଳାଙ୍କ ପରିବାର ପକ୍ଷରୁ ଚାପ ଏହି ହତ୍ୟାକାଣ୍ଡର ଏକ ପ୍ରମୁଖ କାରଣ ବୋଲି ଅଭିଯୁକ୍ତ ପୋଲିସକୁ କହିଥିବା ସୂଚନା ମିଳିଛି। ବର୍ତ୍ତମାନ ପୋଲିସ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଗୁଗୁଲ ନିକଟରୁ ଅଭିଯୁକ୍ତଙ୍କ ସର୍ଚ୍ଚ ହିଷ୍ଟ୍ରି ସଂଗ୍ରହ କରୁଛି। ସେହିପରି ଜବତ କରାଯାଇଥିବା ମୋବାଇଲ ଓ ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories