ବନ୍ଧୁତ୍ୱରେ ଫାଟ, କଳାଯାଦୁ ସନ୍ଦେହରୁ ରକ୍ତାକ୍ତ କାହାଣୀ; ତିନି ହତ୍ୟାର ଦୋଷୀକୁ ମୃତ୍ୟୁଦଣ୍ଡ!
କେରଳ: କେରଳର ପାଲକ୍କଡ଼ ଜିଲ୍ଲାର ବହୁଚର୍ଚ୍ଚିତ ନେନମାରା ତିନି ହତ୍ୟା ମାମଲାରେ ୬୧ ବର୍ଷୀୟ ଅଭିଯୁକ୍ତ ଚେନ୍ଥାମାରାଙ୍କୁ ଜିଲ୍ଲା ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ୨୦୨୫ ଜାନୁଆରୀରେ ସେ ସୁଧାକରନ ଓ ତାଙ୍କ ବୃଦ୍ଧା ମା’ ଲକ୍ଷ୍ମୀ ଅମ୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଦୁଇ ଜଣ ହେଉଛନ୍ତି ୨୦୧୯ରେ ଚେନ୍ଥାମାରାଙ୍କ ଦ୍ୱାରା ହତ୍ୟା ହୋଇଥିବା ସଜିତାଙ୍କ ସ୍ୱାମୀ ଓ ଶାଶୁ। ପୁରୁଣା ହତ୍ୟା ମାମଲାରେ ଜାମିନରେ ବାହାରକୁ ଆସିଥିବାବେଳେ ସେ ପୁଣି ଦୁଇ ଜଣକୁ ହତ୍ୟା କରିଥିଲେ। ପରେ ୨୦୨୪ରେ ୨୦୧୯ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ, ଚେନ୍ଥାମାରା ନିଜ ବୈବାହିକ ଜୀବନ ଭାଙ୍ଗିଯିବା ପଛରେ ପଡ଼ୋଶୀ ପରିବାରକୁ ଦାୟୀ କରୁଥିଲେ। ସେ କଳାଯାଦୁ ଉପରେ ଗଭୀର ବିଶ୍ୱାସ ରଖୁଥିଲେ ଏବଂ ସଜିତାଙ୍କ ପରିବାର ତାଙ୍କ ବିରୋଧରେ କଳାଯାଦୁ କରିଥିବା ସନ୍ଦେହରେ ଦୀର୍ଘ ଦିନ ଧରି ପ୍ରତିଶୋଧର ଯୋଜନା କରୁଥିଲେ। ଜାମିନରେ ମୁକ୍ତ ହେବା ପରେ ମଧ୍ୟ ସେ ସୁଧାକରନଙ୍କ ପରିବାରକୁ ଧମକ ଦେଉଥିଲେ। ପୁଲିସ ତାଙ୍କୁ ସତର୍କ କରିଥିଲେ ମଧ୍ୟ ସେ ଧମକ ଜାରି ରଖିଥିଲେ। ଶେଷରେ ସୁଯୋଗ ପାଇ ସୁଧାକରନ ଓ ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ।
ମାମଲାର ଶୁଣାଣି ବେଳେ ଅଦାଲତ କହିଥିଲେ ଯେ, ଚେନ୍ଥାମାରାଙ୍କ ମନରେ କୌଣସି ଅନୁତାପ ନଥିଲା ଏବଂ ସେ ଜାମିନରେ ଥାଇ ପୁଣି ଦୁଇଟି ହତ୍ୟା କରି ସମାଜ ପାଇଁ ଗୁରୁତର ବିପଦ ସୃଷ୍ଟି କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ବାହାରୁ ଶାନ୍ତ ଓ ନିରବ ସ୍ୱଭାବର ଦେଖାଯାଉଥିବା ଚେନ୍ଥାମାରା ମୁହୂର୍ତ୍ତକ ମଧ୍ୟରେ ଅତ୍ୟନ୍ତ ହିଂସ୍ର ହୋଇଯାଉଥିଲେ। ଅଦାଲତ ଏହି ଘଟଣାକୁ ‘ବିରଳରୁ ବିରଳତମ’ଅପରାଧ ଭାବେ ବିବେଚନା କରି ମୃତ୍ୟୁଦଣ୍ଡ ଶୁଣାଇଥିଲେ। ଏହାସହ ଅଭିଯୁକ୍ତଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।

