ପେଲେଟ୍ ଗନ୍ ବିବାଦରେ ବଡ଼ ଖୁଲାସା; ହସ୍ପିଟାଲ ରିପୋର୍ଟ ଆସିବା ପରେ ଦିଲ୍ଲୀ ପୋଲିସର ଦାବିକୁ ନେଇଉଠିଲା ପ୍ରଶ୍ନ
ନୂଆଦିଲ୍ଲୀ: ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଜନ୍ତର ମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ ପେଲେଟ୍ ଗନ୍ ବ୍ୟବହାର ହୋଇଥିଲା କି ନାହିଁ, ତାହାକୁ ନେଇ ବିବାଦ ତୀବ୍ର ହୋଇଛି। ଦିଲ୍ଲୀ ପୋଲିସ ପେଲେଟ୍ ଗନ୍ ବ୍ୟବହାର କରାଯାଇନଥିବା ଦାବି କରିଥିବା ବେଳେ ସଫଦରଜଙ୍ଗ ହସ୍ପିଟାଲର ଏକ ମେଡିକାଲ ରିପୋର୍ଟରେ ଜଣେ ୨୮ ବର୍ଷୀୟ ପ୍ରତିବାଦକାରୀଙ୍କ ଶରୀରରେ ପେଲେଟ୍ ଆଘାତ ଥିବା ଉଲ୍ଲେଖ ହୋଇଛି। ରିପୋର୍ଟରେ ଆହତଙ୍କ ଡାହାଣ କହୁଣି ଓ ପିଠିରେ କ୍ଷତ, ଚର୍ମରେ ପେଲେଟ୍ କଣିକା ଲାଗି ରହିଥିବା ଏବଂ ଆଘାତ ସ୍ଥାନରେ ଯନ୍ତ୍ରଣା ଥିବା କଥା ଦର୍ଶାଯାଇଛି।
ଜୁଲାଇ ୨୦ରେ କକ୍ରୋଚ ଜନତା ପାର୍ଟି (CJP)ର ‘ଚଲୋ ସଂସଦ’ କାର୍ଯ୍ୟକ୍ରମ ସମୟରେ ପୋଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଦିଲ୍ଲୀ ପୋଲିସ ଲାଠିଚାର୍ଜ ଓ ଟିଅର ଗ୍ୟାସ ବ୍ୟବହାର କରିଥିବା ସ୍ୱୀକାର କରିଥିଲେ ମଧ୍ୟ ପେଲେଟ୍ ଗନ୍ ବ୍ୟବହାର ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଅନ୍ୟପକ୍ଷରେ CJP, ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ଓ ବିଭିନ୍ନ ପ୍ରତିବାଦକାରୀ ଦାବି କରିଛନ୍ତି ଯେ, ପୋଲିସ ଅତ୍ୟଧିକ ବଳ ପ୍ରୟୋଗ କରିଥିଲା ଏବଂ ଅନେକ ଛାତ୍ର ପେଲେଟ୍ ଆଘାତରେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ମଧ୍ୟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସଙ୍କଠାରୁ ଜବାବ ମାଗିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରେ ମଧ୍ୟ ତର୍କ ବଢ଼ିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ପ୍ରତିବାଦକାରୀଙ୍କ ଉପରେ ବଳପ୍ରୟୋଗର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେପର୍ ଲିକ୍ ମାମଲାରେ କଠୋର ଆଇନ ଆଣିବା ଓ ଫାଷ୍ଟ-ଟ୍ରାକ୍ କୋର୍ଟ ମାଧ୍ୟମରେ ଶୀଘ୍ର ବିଚାର କରିବାକୁ ସରକାର ପଦକ୍ଷେପ ନେଉଥିବା କହିଛନ୍ତି। ତେବେ ପେଲେଟ୍ ଗନ୍ ବ୍ୟବହାର ହୋଇଥିଲା କି ନାହିଁ, ସେନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଏପର୍ଯ୍ୟନ୍ତ ଆସିନାହିଁ।

