ରାଜ୍ୟସଭାରେ ଉପସ୍ଥାପିତ ହେଲା ‘ବନ୍ଦେ ମାତରମ୍’ ବିଲ୍; ବିରୋଧୀଙ୍କ ହଙ୍ଗାମା ପରେ ଗୃହ କାର୍ଯ୍ୟ ସ୍ଥଗିତ
ନୂଆଦିଲ୍ଲୀ: ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ‘ବନ୍ଦେ ମାତରମ୍’କୁ ଆଇନଗତ ସୁରକ୍ଷା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ‘ଜାତୀୟ ସମ୍ମାନ ଅପମାନ ନିବାରଣ (ସଂଶୋଧନ) ବିଲ୍-୨୦୨୬’ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ, ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମାତରମ୍’କୁ ମଧ୍ୟ ଆଇନଗତ ସୁରକ୍ଷା ପ୍ରଦାନ କରାଯିବ। ତେବେ ବିଲ୍ ଉପସ୍ଥାପନକୁ ବିରୋଧ କରି ବିପକ୍ଷ ସଦସ୍ୟମାନେ ହଙ୍ଗାମା କରିଥିବାରୁ ରାଜ୍ୟସଭାର କାର୍ଯ୍ୟବାହୀ କିଛି ସମୟ ପାଇଁ ସ୍ଥଗିତ ରହିଥିଲା।
ପ୍ରସ୍ତାବିତ ବିଲ୍ ଅନୁଯାୟୀ, ‘ବନ୍ଦେ ମାତରମ୍’ ଗାନ ସମୟରେ ଜାଣିଶୁଣି ବାଧା ସୃଷ୍ଟି କରିବା କିମ୍ବା ଏହାର ଅପମାନ କରିବାକୁ ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ। ବିଲ୍ ଆଇନରେ ପରିଣତ ହେଲେ, ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡ ଦିଆଯାଇପାରିବ। ଜାତୀୟ ଗୀତ ପ୍ରତି ସମ୍ମାନ ଓ ସଚେତନତା ବଢାଇବାକୁ ସରକାରଙ୍କ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି |
ତେବେ ଏହି ବିଲ୍ ପାରିତ ହେଲେ ‘ବନ୍ଦେ ମାତରମ୍’କୁ ମଧ୍ୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ସମାନ ମାନ୍ୟତା ମିଳିବ। ତେବେ ବିପକ୍ଷ ଦଳଗୁଡ଼ିକ ଏହି ବିଲ୍ର କିଛି ପ୍ରାବଧାନକୁ ନେଇ ଆପତ୍ତି ଉଠାଇଥିବାରୁ ଏହାକୁ ନେଇ ସଂସଦରେ ଜୋରଦାର ଚର୍ଚ୍ଚା ହେବାର ସମ୍ଭାବନା ରହିଛି।

