ପେପର ଲିକ୍ ବିରୋଧୀ ସଂଶୋଧନ ବିଲ୍କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି; ଆସନ୍ତା ସପ୍ତାହରେ ଲୋକସଭାରେ ପାରିତ କରିବେ ସରକାର
ନୂଆଦିଲ୍ଲୀ: ନିଟ୍ (NEET) ପେପର ଲିକ୍କୁ ନେଇ ଦେଶବ୍ୟାପୀ ବିବାଦ ଓ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ପେପର ଲିକ୍ ବିରୋଧୀ ସଂଶୋଧନ ବିଲ୍କୁ ମଞ୍ଜୁରି ଦେଇଛି। କ୍ୟାବିନେଟ ବୈଠକରେ ପବ୍ଲିକ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ ଅଫ୍ ଅନଫେୟାର ମିନ୍ସ) ଆକ୍ଟ, ୨୦୨୪କୁ ଆହୁରି କଠୋର କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସରକାର ଆସନ୍ତା ସପ୍ତାହରେ ସଂସଦର ବର୍ଷାକାଳୀନ ଅଧିବେଶନ ସମୟରେ ଏହି ସଂଶୋଧନ ବିଲ୍କୁ ଲୋକସଭାରେ ଉପସ୍ଥାପନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।
ତେବେ ଏହି ନୂଆ ସଂଶୋଧନ ବିଲ୍ରେ ପେପର ଲିକ୍ ମାମଲାରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କ ବିରୋଧରେ ଆହୁରି କଡ଼ା ବ୍ୟବସ୍ଥା ରହିବ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିବ। ଏହା ସହ ପେପର ଲିକ୍ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନକୁ ମଧ୍ୟ ଆଇନଗତ ଭାବେ ସାମିଲ କରାଯିବାର ସମ୍ଭାବନା ରହିଛି।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା ଜାରି କରି କହିଥିଲେ ଯେ, ପେପର ଲିକ୍ କୌଣସି ସାଧାରଣ ଘଟଣା ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଗଭୀର ଚିନ୍ତାର ବିଷୟ। ସେ କହିଥିଲେ, ଗତ କିଛି ମାସ ମଧ୍ୟରେ ପେପର ଲିକ୍ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଗିରଫ ମଧ୍ୟ କରାଯାଇଛି ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ନଷ୍ଟ ନହେବା ପାଇଁ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଅଳ୍ପ ସମୟ ମଧ୍ୟରେ ପରୀକ୍ଷା ସମ୍ପନ୍ନ କରାଯାଇଛି ।

