ଅନୁମତି ବିନା କୋର୍ଟ କାର୍ଯ୍ୟବାହୀର ଭିଡିଓ ସୋସିଆଲ ମିଡିଆରେ ସେୟାର କଲେ ହେବ କଡା କାର୍ଯ୍ୟାନୁଷ୍ଠାନ; ସୁପ୍ରିମକୋର୍ଟଙ୍କ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅନୁମତି ବିନା କୋର୍ଟ କାର୍ଯ୍ୟବାହୀର ଅଡିଓ କିମ୍ବା ଭିଡିଓ ରେକର୍ଡିଂକୁ ସୋସିଆଲ ମିଡିଆ ଓ ଅନ୍ୟ ଡିଜିଟାଲ ପ୍ଲାଟଫର୍ମରେ ପୋଷ୍ଟ, ସେୟାର କିମ୍ବା ଅପଲୋଡ୍ କରିବା ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ କଟକଣା ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ସମ୍ପୃକ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ କିମ୍ବା ସୁପ୍ରିମକୋର୍ଟର ସେକ୍ରେଟାରି ଜେନେରାଲଙ୍କ ପୂର୍ବ ଅନୁମତି ବିନା ଏଭଳି ରେକର୍ଡିଂ ପ୍ରସାରଣ କରାଯାଇପାରିବ ନାହିଁ।
ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶ ସମ୍ବାଦ ମାଧ୍ୟମ ଦ୍ୱାରା କୋର୍ଟ କାର୍ଯ୍ୟବାହୀର ଖବର ପ୍ରକାଶ ଉପରେ କୌଣସି ପ୍ରତିବନ୍ଧକ ଲଗାଉ ନାହିଁ। ଏହାକୁ ‘ଗ୍ୟାଗ୍ ଅର୍ଡର’ ଭାବେ ଦେଖିବା ଉଚିତ୍ ନୁହେଁ ବୋଲି ମଧ୍ୟ କୋର୍ଟ କହିଛନ୍ତି। ବିଚାରପତି ଜୟମାଲ୍ୟ ବାଗଚୀ କହିଛନ୍ତି, କୋର୍ଟ କୌଣସି ୨୪ ଘଣ୍ଟିଆ ମନୋରଞ୍ଜନ ଚ୍ୟାନେଲ ନୁହେଁ। ଅନୁମତି ବିନା କୋର୍ଟର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ପ୍ରସାରଣ ନ୍ୟାୟ ବ୍ୟବସ୍ଥାର ଗରିମାକୁ କ୍ଷୁଣ୍ଣ କରୁଛି ବୋଲି ସେ ମତ ରଖିଛନ୍ତି।
ଏହି ମାମଲାରେ ସୁପ୍ରିମକୋର୍ଟ ମେଟା, X (ପୂର୍ବତନ ଟ୍ୱିଟର) ସମେତ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀଙ୍କୁ ନୋଟିସ ଜାରି କରିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି, AI ପ୍ରଯୁକ୍ତି ବ୍ୟବହାର କରି ବିଚାରପତି କିମ୍ବା ଆଇନଜୀବୀଙ୍କ କଥାକୁ ବିକୃତ କରି ସୋସିଆଲ ମିଡିଆରେ ପ୍ରସାରଣ କରାଯାଇପାରେ, ଯାହା ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମଧ୍ୟ ଗଣମାଧ୍ୟମରେ ତାଙ୍କ ବକ୍ତବ୍ୟକୁ ଭୁଲ ଭାବରେ ପ୍ରଚାର କରାଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

