ବ୍ରିଜଭୂଷଣଙ୍କୁ ୯ ସୁଦ୍ଧା ଗିରଫ କରାଯାଉ, ନଚେତ୍…କୁରୁକ୍ଷେତ୍ରରେ ମହାପଞ୍ଚାୟତ ପରେ ଟିକାୟତଙ୍କ ଚେତାବନୀ


ଚଣ୍ଡିଗଡ଼: ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ କୃଷକ ସଂଗଠନ ସଂପୂର୍ଣ୍ଣ ସମର୍ଥନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୁରୁକ୍ଷେତ୍ରରେ ଆଜି ମହାପଞ୍ଚାୟତ ଆୟୋଜିତ ହୋଇଛି। ବୈଠକରେ କେନ୍ଦ୍ର ସରକାରଙ୍କୁ କୃଷକ ନେତା ରାକେଶ ଟିକାୟତ ଚରମ ଚେତାନବୀ ଦେଇଛନ୍ତି। ସେ କହିଛନ୍ତି, ସରକାରଙ୍କୁ ଯେମିତି ହେଲେ ରେସଲରଙ୍କ ଅଭିଯୋଗର ସମାଧାନ କରିବା ଉଚିତ୍। ମାମଲାରେ ବ୍ରିଜଭୂଷଣଙ୍କୁ ତୁରନ୍ତ ଗିରଫ କରାଯାଉ। ତାଙ୍କ ଗିରଫଦାରୀ ଉପରେ କୌଣସି ସାଲିସ୍ କରାଯାଇ ପାରିବ ନାହିଁ। ଯଦି ଏମିତି ନହୁଏ ତେବେ ଆମେ ଜୁନ ୯ରେ ପହିଲମାନଙ୍କ ସହ ଜନ୍ତର ମନ୍ତର ଯିବୁ। ଯଦି ଜନ୍ତର ମନ୍ତରରେ ବସିବାକୁ ଅନୁମତି ଦିଆନଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଖାପ ନେତାମାନେ ଚେତାବନୀ ଦେଇଛନ୍ତି।

ଆମେ ଚାହୁଁଛୁ ଖେଳାଳିଙ୍କ ବିରୋଧରେ ରୁଜୁ ଏଫଆଇଆର ପ୍ରତ୍ୟାହାର କରାଯାଉ। ଏହି ପ୍ରସଙ୍ଗକୁ ଆଲୋଚନା ଜରିଆରେ ସମାଧାନ କରାଯାଉ। ସରକାରଙ୍କୁ ଆମେ ଜୁନ ୯ ପର୍ଯ୍ୟନ୍ତ ସମୟ ଦେଉଛୁ। ଏହା ଭିତରେ ସରକାରଙ୍କୁ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ। ମହିଳା ପହିଲମାନଙ୍କ ପରିଜନଙ୍କୁ ଧମକ ଦିଆଯାଉଛି। ସରକାରଙ୍କୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରାଯାଉ ବୋଲି ରାକେଶ ଟିକାୟତ କହିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ଵାସନ ଦେଇଛନ୍ତି। ସେ କହିଛନ୍ତି ସରକାର ନିରପେକ୍ଷ ତଦନ୍ତ ସପକ୍ଷରେ ଅଛନ୍ତି। ଆମେ ଚାହୁଁଛୁ କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ମିଳୁ, ମାତ୍ର ଏହା ଉଚିତ୍ ପ୍ରକ୍ରିୟାରେ ହେବ। କୁସ୍ତିଯୋଦ୍ଧାଙ୍କୁ ଧୈର୍ଯ୍ୟ ରଖିବା ଉଚିତ୍। ଉଲ୍ଲେଖନୀୟ ଗତ ରବିବାର ନୂତନ ସଂସଦ ଭବନ ବାହାରେ ମହିଳା ପଞ୍ଚାୟତ ନିମନ୍ତେ ଜନ୍ତର ମନ୍ତରରୁ ସଂସଦ ଭବନ ଅଭିମୁଖେ ବାହାରିବା ସମୟରେ ପୋଲିସ ସହ ରେସଲରଙ୍କ ଧସ୍ତାଧସ୍ତି ହୋଇଥିଲା।ପୋଲିସ ରେସଲରମାନଙ୍କୁ ସେଠାରୁ ଉଠାଇ ଅଟକ ରଖିଥିଲା।