ସରକାରଙ୍କ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ CJPର କଡ଼ା ଆଭିମୁଖ୍ୟ; ‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା ଆଲୋଚନାର କୌଣସି ଅର୍ଥ ନାହିଁ’
ନୂଆଦିଲ୍ଲୀ: ନିଟ୍ (NEET-UG) ପ୍ରଶ୍ନପତ୍ର ଲିକ୍କୁ ନେଇ କେନ୍ଦ୍ର ସରକାର ଓ କକ୍ରୋଚ୍ ଜନତା ପାର୍ଟି (CJP) ମଧ୍ୟରେ ଆଜି ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ସଂଗଠନ ନିଜ ଆଭିମୁଖ୍ୟକୁ ଆହୁରି କଠୋର କରିଛି। ସିଜେପିର ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା ସ୍ପଷ୍ଟ କରି କହିଛନ୍ତି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସେମାନଙ୍କ ପାଇଁ ‘ଅଣଆଲୋଚନୀୟ’ ଦାବି। ସରକାର ଯଦି ଏହି ଦାବି ମାନିବାକୁ ପ୍ରସ୍ତୁତ ନୁହେଁ, ତେବେ ପରବର୍ତ୍ତୀ ଆଲୋଚନାର କୌଣସି ଅର୍ଥ ନାହିଁ ବୋଲି ସେ ସୋସିଆଲ ମିଡିଆରେ କହିଛନ୍ତି।
ଶୁକ୍ରବାର ସଂବିଧାନ କ୍ଲବ୍ରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ସହ ସିଜେପି ପ୍ରତିନିଧିମଣ୍ଡଳର ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ହୋଇଥିଲା। CJP ପକ୍ଷରୁ ତିନୋଟି ପ୍ରମୁଖ ଦାବି ରଖାଯାଇଥିଲା—ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ କରିବା ଏବଂ ନିଟ୍ ପ୍ରଶ୍ନପତ୍ର ଲିକ୍ ପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ। ସୂତ୍ର ଅନୁସାରେ, ପ୍ରଥମ ଦୁଇଟି ପ୍ରସଙ୍ଗରେ ସରକାର ସକାରାତ୍ମକ ସଙ୍କେତ ଦେଇଥିବାବେଳେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗରେ କୌଣସି ସହମତି ପ୍ରକାଶ କରିନାହାନ୍ତି |
ଅନ୍ୟପକ୍ଷରେ ସରକାରୀ ସୂତ୍ର ସ୍ପଷ୍ଟ କରିଛି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର ପ୍ରଶ୍ନ ଉଠୁନାହିଁ। ସରକାରଙ୍କ କହିବା ଅନୁସାରେ, ଇସ୍ତଫା ଦେବା ସବୁଠାରୁ ସହଜ ବିକଳ୍ପ, କିନ୍ତୁ ସରକାର ବ୍ୟବସ୍ଥାଗତ ସଂସ୍କାର ଉପରେ ଗୁରୁତ୍ୱ ଦେଉଛି। ଏହା ମଧ୍ୟରେ କେନ୍ଦ୍ର ସରକାର ପେପର୍ ଲିକ୍ ମାମଲାର ଶୁଣାଣି ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ, କଠୋର ଆଇନ ଆଣିବା, ଶିକ୍ଷା ସଚିବଙ୍କ ବଦଳି ଏବଂ ଏନ୍ଟିଏର ୪୭ ଜଣ ଅଧିକାରୀଙ୍କୁ ବରଖାସ୍ତ ଭଳି ପଦକ୍ଷେପ ନେଇଛନ୍ତି । କିନ୍ତୁ ସିଜେପି ଏବେବି ନିଜ ନିଷ୍ପତ୍ତିରେ ଅଟଳ ରହିଛି | CJPର କହିବା ଅନୁସାରେ ଏହି ପଦକ୍ଷେପ ଯଥେଷ୍ଟ ନୁହେଁ ଏବଂ ଶିକ୍ଷାମନ୍ତ୍ରୀଙ୍କୁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବାକୁ ହେବ।

