ଆୟୁର୍ବେଦିକ ଚାକିରି ନାଁରେ ବେକାର ଯୁବକଙ୍କୁ ଫସାଉଥିଲେ; ରାକେଟ୍ର ପର୍ଦ୍ଦାଫାସ, ୯ ଗିରଫ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅମରୋହାରେ ଚାକିରି ନାଁରେ ବେକାର ଯୁବକଙ୍କୁ ଠକୁଥିବା ଏକ ସଂଗଠିତ ରାକେଟ୍ର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ବନ୍ଦୀ କରି ରଖାଯାଇଥିବା ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ରାକେଟ୍ର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ତଲାସି ଜାରି ରଖିଛି।
ପୁଲିସ ସୂଚନା ଅନୁଯାୟୀ, ‘ଭାରତ ଆସୋସିଏଟ୍’ ନାମକ ଏକ ସଂସ୍ଥା ମାଧ୍ୟମରେ ସୋସିଆଲ ମିଡିଆରେ ଆୟୁର୍ବେଦିକ ଉତ୍ପାଦ ବିକ୍ରି ପାଇଁ ଚାକିରିର ବିଜ୍ଞାପନ ଦିଆଯାଉଥିଲା। ଆବେଦନକାରୀଙ୍କଠାରୁ ପଞ୍ଜୀକରଣ ଓ ପ୍ରଶିକ୍ଷଣ ନାମରେ ୧୫ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା। କିନ୍ତୁ ଚାକିରି ଦେବା ପରିବର୍ତ୍ତେ ସେମାନଙ୍କୁ ଅନ୍ୟ ଯୁବକଙ୍କୁ ଯୋଗାଡ଼ କରି ନେଟୱର୍କିଂ ଆଧାରିତ ଅର୍ଥ ସଂଗ୍ରହ ଯୋଜନାରେ ସାମିଲ ହେବାକୁ ବାଧ୍ୟ କରାଯାଉଥିଲା। ଯେଉଁମାନେ ଏଥିରେ ରାଜି ହେଉନଥିଲେ କିମ୍ବା ଟଙ୍କା ଫେରସ୍ତ ମାଗୁଥିଲେ, ସେମାନଙ୍କୁ ମାଡ଼ ମାରିବା, ଧମକ ଦେବା ଓ ଜୋରପୂର୍ବକ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି।
ମୋରାଦାବାଦର ଜଣେ ଯୁବକ ଚାକିରି ନାଁରେ ଠକାମିର ଶିକାର ହୋଇ ପୁଲିସର ଦ୍ୱାରସ୍ଥ ହେବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଗଙ୍ଗାନଗର ଗ୍ରାମରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଥିଲା। ସେଠାରୁ ୭ଟି ମୋବାଇଲ ଫୋନ, ଏକ ଲ୍ୟାପଟପ୍, ୨୦ଟି ଆବେଦନପତ୍ର, ଜାଲ୍ ଷ୍ଟାମ୍ପ ପେପର, ୩ଟି ରେଜିଷ୍ଟର, ୨ଟି ଡାଏରୀ ଏବଂ ୩୯,୫୦୦ ଟଙ୍କା ଜବତ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS), ସୂଚନା ପ୍ରଯୁକ୍ତି ଆଇନ ଏବଂ ପ୍ରାଇଜ୍ ଚିଟ୍ସ ଆଣ୍ଡ ମନି ସର୍କୁଲେସନ୍ ସ୍କିମ୍ସ (ନିଷେଧ) ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଚାଲିଛି।

