ପେପର ଲିକ୍କୁ ରୋକିବାକୁ NTAର ବଡ଼ ପଦକ୍ଷେପ, ନିଯୁକ୍ତ ହେବେ ଚାରି ବରିଷ୍ଠ ଅଧିକାରୀ
ନୂଆଦିଲ୍ଲୀ: ପରୀକ୍ଷା ପ୍ରଣାଳୀକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ବଡ଼ ଧରଣର ପ୍ରଶାସନିକ ସଂସ୍କାର ଆଣିବାକୁ ଯାଉଛି। ପେପର ଲିକ୍, ସାଇବର ଆକ୍ରମଣ, ଡିଜିଟାଲ୍ ତ୍ରୁଟି ଓ ପରୀକ୍ଷା ସମ୍ପର୍କିତ ଅନିୟମିତତାକୁ ରୋକିବା ପାଇଁ ଏନଟିଏରେ ପ୍ରଥମ ଥର ପାଇଁ ଚାରିଟି ଗୁରୁତ୍ୱପୂର୍ଣ୍ଣ ବରିଷ୍ଠ ପଦବୀ ସୃଷ୍ଟି କରାଯାଉଛି। ଏହା ସହିତ ପରୀକ୍ଷା ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ଼ କରିବାକୁ ଯୁବ ଫ୍ରଫେସନାଲଙ୍କୁ ମଧ୍ୟ ନିଯୁକ୍ତ କରାଯିବ।
ଏହି ସଂସ୍କାରର ଅଂଶ ଭାବେ ପ୍ରଥମ ଥର ପାଇଁ ଚିଫ୍ ଇନଫର୍ମେସନ୍ ସିକ୍ୟୁରିଟି ଅଫିସର (CISO) ନିଯୁକ୍ତ ହେବେ। ସେ ଏନଟିଏର ସମସ୍ତ ସର୍ଭର, ନେଟୱର୍କ, ଆପ୍ଲିକେସନ୍ ଓ ଡାଟାର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ। ଏହା ସହ ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ଆକ୍ଟ, ଆଇଟି ଆକ୍ଟ ଓ CERT-In ନିୟମାବଳୀର ପାଳନ ଏବଂ ୨୪ ଘଣ୍ଟିଆ ସିକ୍ୟୁରିଟି ଅପରେସନ୍ସ ସେଣ୍ଟର (SOC)ର ତଦାରଖ ମଧ୍ୟ ତାଙ୍କ ଅଧୀନରେ ରହିବ। ସେହିପରି ଜେନେରାଲ୍ ମ୍ୟାନେଜର (Assessment Research & Development and Psychometrics) ପ୍ରଶ୍ନପତ୍ର ପ୍ରସ୍ତୁତି, ପ୍ରଶ୍ନ ବ୍ୟାଙ୍କ, ନର୍ମାଲାଇଜେସନ୍, କଠିନତା ସ୍ତରର ସମନ୍ୱୟ ଏବଂ ଭବିଷ୍ୟତରେ AI ଆଧାରିତ ମୂଲ୍ୟାଙ୍କନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଭଳି ଦାୟିତ୍ୱ ନିର୍ବାହ କରିବେ।
ଅନ୍ୟପକ୍ଷରେ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଉପରେ କଡ଼ା ନଜର ରଖିବା ପାଇଁ ଜେନେରାଲ୍ ମ୍ୟାନେଜର (Vigilance, Investigation & Forensics) ପଦ ସୃଷ୍ଟି କରାଯାଇଛି। ଏହି ଅଧିକାରୀ ସିବିଆଇ, ଇଡି, ଆଇବି, ରାଜ୍ୟ ପୁଲିସ ଓ ସାଇବର କ୍ରାଇମ୍ ୟୁନିଟ୍ ସହ ସମନ୍ୱୟ ରକ୍ଷା କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବେ। ଏହା ସହିତ ୟୁପିଏସ୍ସିର ‘ପ୍ରତିଭା ସେତୁ’ ପୋର୍ଟାଲ୍ ମାଧ୍ୟମରେ ୧୬ ଜଣ ଯୁବ ଫ୍ରଫେସନାଲଙ୍କୁ ନିଯୁକ୍ତ କରିବାକୁ ଏନଟିଏ ନିଷ୍ପତ୍ତି ନେଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଏକାଡେମିକ୍ ଗବେଷଣା, ୨ ଜଣ ଆଇନ ବିଭାଗ ଏବଂ ୨ ଜଣ ଫାଇନାନ୍ସ ଓ ଆକାଉଣ୍ଟ୍ସ ବିଭାଗରେ କାର୍ଯ୍ୟ କରିବେ। ପ୍ରାରମ୍ଭିକ ଭାବେ ୨୪ ମାସ ପାଇଁ ନିଯୁକ୍ତି ହେବ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ଏହାକୁ ୩୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

