ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହିଷ୍କାର ନୁହେଁ ବରଂ ଅନ୍ୟ ମନ୍ତ୍ରଣାଳୟକୁ ହୋଇପାରେ ବଦଳି! ଏହା ପରୀକ୍ଷାର୍ଥୀଙ୍କ ପାଇଁ ଗ୍ରହଣୀୟ ନୁହେଁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସରକାରରୁ ବହିଷ୍କାର କରିବା ପରିବର୍ତ୍ତେ ଅନ୍ୟ ଏକ ମନ୍ତ୍ରଣାଳୟକୁ ବଦଳି କରିବା ନେଇ କେନ୍ଦ୍ର ସରକାରଙ୍କ ଭିତରେ ଆଲୋଚନା ଚାଲିଥିବା ନେଇ ଦାବି କରିଛନ୍ତି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍କୁ ନେଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଥିବା ବେଳେ ସେ କହିଛନ୍ତି, କେବଳ ବିଭାଗ ପରିବର୍ତ୍ତନ କଲେ ଛାତ୍ରଛାତ୍ରୀଙ୍କ ଦାବି ପୂରଣ ହେବ ନାହିଁ।
ରାହୁଲ ଗାନ୍ଧୀ କହିଛନ୍ତି, ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କର ତିନୋଟି ପ୍ରମୁଖ ଦାବି ରହିଛି ଏବଂ ସେଗୁଡ଼ିକ ଉପରେ କୌଣସି ପ୍ରକାରର ଆପୋଷ ବୁଝାମଣା ହେବ ନାହିଁ। ତାଙ୍କ ଅଭିଯୋଗ ଅନୁସାରେ, ଧର୍ମେନ୍ଦ୍ର ପ୍ରଧାନ ଦୁର୍ନୀତି, ଅଦକ୍ଷତା ଓ ଶିକ୍ଷା ବ୍ୟବସ୍ଥାର ଅବକ୍ଷୟର ପ୍ରତୀକ ପାଲଟିଛନ୍ତି। ତେଣୁ ତାଙ୍କୁ ଅନ୍ୟ ମନ୍ତ୍ରଣାଳୟକୁ ପଠାଇବା ପରିବର୍ତ୍ତେ ସରକାରରୁ ସମ୍ପୂର୍ଣ୍ଣ ବହିଷ୍କାର କରାଯିବା ଉଚିତ୍। ଅନ୍ୟପଟେ ସରକାରୀ ସୂତ୍ର କହିଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନେଇ କୌଣସି ବିଚାର ଚାଲିନାହିଁ ଏବଂ ସରକାର ତାଙ୍କ ପକ୍ଷରେ ଦୃଢ଼ ଭାବେ ଛିଡ଼ା ହୋଇଛି।
ଆନ୍ଦୋଳନ ସମୟରେ ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଛନ୍ତି। ଲାଠିଚାର୍ଜ ଓ ପେଲେଟ୍ ବ୍ୟବହାର ଅଭିଯୋଗର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍ ବୋଲି ସେ ଦାବି କରିଛନ୍ତି।

