ଭାଜରାମ ଙ୍କ ସାଧୁତା,ଫେରାଇଲେ ଗୋଟାଇଥିବା ଟଙ୍କା ଓ ବ୍ୟାଗ


ବେଲଗୁଣ୍ଠା: ଆଜି ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସାଧୁ ଉଦ୍ୟମ ଯୋଗୁଁ ଭଞ୍ଜନଗର ବ୍ଳକ୍ ବିଞ୍ଝଗିରୀ ଗ୍ରାମର ବିଦ୍ୟାଧର ନାଇକ ନିଜର ପଡ଼ିଯାଇଥିବା ଟଙ୍କା ଏବଂ ବ୍ୟାଙ୍କ୍ ଖାତା ପାଇଛନ୍ତି I ସୂଚନା ଅନୁଯାୟୀ ଆଜି ବିଦ୍ୟାଧର ଭଞ୍ଜନଗରରୁ ସୁତୁମୁସର ଅଭିମୁଖେ ଏକ ମୋଟରସାଇକେଲ୍ ଯୋଗେ ଯାଉଥିବା ସମୟରେ ବେଲଗୁଣ୍ଠା ବ୍ଳକ୍ ଧୂମୂଛାଇ ଛକରେ ମୋଟରସାଇକେଲ୍ ରୁ ତାଙ୍କ ବ୍ୟାଗ୍ ଟି ଖସି ପଡ଼ିଥିଲା I ବ୍ୟାଗ୍ ଟିକୁ ଧୂମୂଛାଇ ଗ୍ରାମର ଭଜରାମ ସାହୁ ପାଇ ସେଥିରେ ବିଦ୍ୟାଧରଙ୍କ ଏକ ବ୍ୟାଙ୍କ୍ ଖାତା ଏବଂ ନଗଦ ଦଶ ହଜାର ଟଙ୍କା ଥିବା ଦେଖିବାକୁ ପାଇଥିଲେ I ସେ ସାଙ୍ଗେ ସାଙ୍ଗେ ବ୍ୟାଗ୍ ଟିକୁ ନେଇ ବେଲଗୁଣ୍ଠା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କୁ ହସ୍ତାନ୍ତର କରିଥିଲେ I

ଶ୍ରୀ ନାୟକ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ବିଦ୍ୟାଧରଙ୍କୁ ଆଜି ସନ୍ଧ୍ୟା ସମୟରେ ଯୋଗାଯୋଗ କରି ତାଙ୍କୁ ଟଙ୍କା ଏବଂ ବ୍ୟାଙ୍କ୍ ଖାତା ସହିତ ବ୍ୟାଗ୍ ଟି ଫେରାଇ ଦେଇଥିଲେ I ଏହିଭଳି ସାଧୁତା ପାଇଁ ରାସ୍ତାରୁ ପ୍ରଥମେ ବ୍ୟାଗ୍ ପାଇଥିବା ଭଜରାମଙ୍କୁ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସମେତ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି I