ଇସ୍ତଫା ପରେ ପ୍ରଥମ ଥର ସଂସଦରେ ଧର୍ମେନ୍ଦ୍ର ପ୍ରଧାନ; ଏନଡିଏ ସାଂସଦଙ୍କ ପାଗ ପିନ୍ଧାଇ କଲେ ଭବ୍ୟ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ: NEET ପରୀକ୍ଷା ଦୁରିଣୀଟି ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ସୋମବାର ସଂସଦ ଭବନରେ ପହଞ୍ଚିଥିଲେ ଓଡ଼ିଶାର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ। ସଂସଦର ମକର ଦ୍ୱାରରେ ପହଞ୍ଚିବା ପରେ ଏନଡିଏର ସାଂସଦମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ପାରମ୍ପରିକ ପାଗ ପିନ୍ଧାଇ ସମ୍ମାନିତ କରିବା ସହ ସମସ୍ତେ ମିଶି ତାଙ୍କୁ ସଦନ ଭିତରକୁ ପାଛୋଟି ନେଇଥିଲେ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଆଯାଇଥିବା ଏହି ସ୍ୱାଗତ ସଂସଦ ପରିସରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏନଡିଏ ସାଂସଦମାନଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏନଡିଏର ସମର୍ଥନ ଓ ଏକତାର ପ୍ରତୀକ ଭାବେ ଦେଖାଯାଉଛି |
ଅନ୍ୟପକ୍ଷରେ, ସଂସଦରେ ବିରୋଧୀ ଦଳମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦରେ ପୁନଃ ପ୍ରବେଶ ଏବଂ ତାଙ୍କୁ ମିଳିଥିବା ସମ୍ମାନ ଆଗାମୀ ଦିନର ରାଜନୈତିକ ସମୀକରଣ ଉପରେ କିପରି ପ୍ରଭାବ ପକାଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

