‘ଜିହାଦ ଓ ପ୍ରତିରୋଧ ହିଁ ଏକମାତ୍ର ରାସ୍ତା ‘; ହିଜବୁଲ୍ଲାକୁ ସମର୍ଥନ କଲେ ମୋଜତାବା ଖେମିନି
ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତୃତ୍ୱ ସହ ଜଡ଼ିତ ମୋଜତାବା ଖାମେନେଇ ଲେବାନନରେ ଇସ୍ରାଏଲର ସାମରିକ ଅଭିଯାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରେ ସେ ଲେବାନନ ଭିତ୍ତିକ ସଶସ୍ତ୍ର ଗୋଷ୍ଠୀ ହିଜବୁଲ୍ଲା ପ୍ରତି ସମର୍ଥନ ବ୍ୟକ୍ତ କରିବା ସହ ଏହାର ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି। ସେ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି।
ମୋଜତାବା ଖାମେନେଇ ତାଙ୍କ ବୟାନରେ ହିଜବୁଲ୍ଲା ମୁଖ୍ୟ ଶେଖ ନଇମ୍ କାସେମ୍ ଏବଂ ସଂଗଠନର ସଦସ୍ୟମାନଙ୍କ ଧୈର୍ଯ୍ୟ ଓ ଆତ୍ମବଳିଦାନର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଲେବାନନର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇରାନ ହିଜବୁଲ୍ଲାର ସୁରକ୍ଷାକୁ ଏକ ରଣନୈତିକ ଦାୟିତ୍ୱ ଭାବେ ଦେଖୁଛି। ସେହିପରି ଆମେରିକା ସହ ଯେକୌଣସି ଆଲୋଚନା କିମ୍ବା ସମ୍ଭାବ୍ୟ ଚୁକ୍ତିରେ ଲେବାନନ ବିରୋଧରେ ଇସ୍ରାଏଲର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାର ସର୍ତ୍ତ ରଖିବାକୁ ସେ ଆହ୍ୱାନ କରିଛନ୍ତି।
ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ଜାରି ରହିଛି ଏବଂ ଲେବାନନ ସୀମାରେ ସୁରକ୍ଷା ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ମଧ୍ୟପ୍ରାଚ୍ୟର ବଦଳୁଥିବା ପରିସ୍ଥିତିକୁ ନେଇ ଆନ୍ତର୍ଜାତିକ ସମୁଦାୟ ମଧ୍ୟ ନଜର ରଖିଥିବାବେଳେ ଏହି ପ୍ରସଙ୍ଗରେ ଇରାନର ସର୍ବଶେଷ ବୟାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।

