ପୂର୍ବ ଡିଏମକେ ସରକାରଙ୍କ ଦୁର୍ନୀତିର ହେବ ପର୍ଦ୍ଦାଫାସ! ବଜେଟ୍ ଅଧିବେଶନରେ ଅଡିଟ୍ ରିପୋର୍ଟ ଉପସ୍ଥାପନ କରିବେ ବିଜୟ ସରକାର
ତାମିଲନାଡୁ: ତାମିଲନାଡୁରେ ଡିଏମକେ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜନୀତି ଏବେ ଜୋର ଧରିଛି । ରାଜ୍ୟର ଅର୍ଥମନ୍ତ୍ରୀ ଏନ୍. ମେରି ୱିଲସନ୍ କହିଛନ୍ତି ଯେ, ଆଗାମୀ ବଜେଟ୍ ଅଧିବେଶନରେ ସରକାର ଏକ ସ୍ୱତନ୍ତ୍ର ଅଡିଟ୍ ରିପୋର୍ଟ ଉପସ୍ଥାପନ କରିବେ। ଏହି ରିପୋର୍ଟରେ ପୂର୍ବତନ ଏମ୍.କେ. ଷ୍ଟାଲିନ୍ ନେତୃତ୍ୱାଧୀନ ଡିଏମକେ ସରକାର ସମୟରେ ଦଳୀୟ ପାଣ୍ଠି ସଂଗ୍ରହ ଏବଂ ଆର୍ଥିକ କାରବାରରେ ହୋଇଥିବା କଥିତ ଅନିୟମିତତାର ତଥ୍ୟ ସାମ୍ନାକୁ ଆସିବ ବୋଲି ସେ ଦାବି କରିଛନ୍ତି।
ଚେନ୍ନାଇର ହାର୍ବର ବିଧାନସଭା କ୍ଷେତ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମେରି ୱିଲସନ୍ ବିରୋଧୀ ଡିଏମକେକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, କଥିତ ଦୁର୍ନୀତି ଓ ଅନିୟମିତତା ବିଷୟରେ ଡିଏମକେ ନେତାମାନେ କିଛି ଜାଣିନଥିବା ଭଳି ଅଭିନୟ କରୁଛନ୍ତି। ଯଦିଓ ସେ କୌଣସି ନେତାଙ୍କ ନାମ ସିଧାସଳଖ ଉଲ୍ଲେଖ କରିନଥିଲେ, ତାଙ୍କ ମନ୍ତବ୍ୟ ପୂର୍ବତନ ଡିଏମକେ ମନ୍ତ୍ରୀ ଏବଂ ବର୍ତ୍ତମାନର ହାର୍ବର ବିଧାୟକ ପି.କେ. ଶେଖର ବାବୁଙ୍କୁ ଲକ୍ଷ୍ୟ କରି ଦିଆଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତିଯେ, ଅଡିଟ୍ ରିପୋର୍ଟ ଉପସ୍ଥାପନ ପରେ ପୂର୍ବ ସରକାର ସମୟର ଆର୍ଥିକ କାରବାର ଉପରୁ ପର୍ଦ୍ଦା ଉଠିବ ଏବଂ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ଏହି ମନ୍ତବ୍ୟ ପରେ ତାମିଲନାଡୁରେ ରାଜନୈତିକ ତର୍କବିତର୍କ ଆହୁରି ଜୋର ଧରିଛି। ତେବେ ଏହି ଅଭିଯୋଗ ଉପରେ ଡିଏମକେ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ପ୍ରତିକ୍ରିୟା ଆସିନାହିଁ।

