ଆଇଆଇଟି ଗୁୱାହାଟିରେ ଓଡ଼ିଆ ଛାତ୍ର ‘ରିତେଶ ରାଜ ସିଂହ’ଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
ଆସାମ: ଆଇଆଇଟି ଗୁୱାହାଟି ପରିସରରେ ଜଣେ ତୃତୀୟ ବର୍ଷର ବି.ଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ର ହେଲେ ଓଡ଼ିଶାର ପୁରୀ ଜିଲ୍ଲାର ରିତେଶ ରାଜ ସିଂହ। ସେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSE) ବିଭାଗର ତୃତୀୟ ବର୍ଷର ଛାତ୍ର ଥିବାବେଳେ ବ୍ରହ୍ମପୁତ୍ର ହଷ୍ଟେଲରେ ରହୁଥିଲେ। ପ୍ରାଥମିକ ତଦନ୍ତରେ ପୋଲିସ ଏହାକୁ ଆତ୍ମହତ୍ୟା ସନ୍ଦେହରେ ତଦନ୍ତ କରୁଛି।
ପୋଲିସ ସୂଚନା ଅନୁଯାୟୀ, ଜୁଲାଇ ୨୬ ତାରିଖ ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ରିତେଶ କ୍ୟାମ୍ପସର ଏକ କୋଠାର ପଞ୍ଚମ ମହଲାରୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ମୃତଦେହକୁ ଗୁୱାହାଟି ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିତେଶଙ୍କ ପରିବାର ଗୁୱାହାଟି ଅଭିମୁଖେ ଯାଉଥିବା ସୂଚନା ମିଳିଛି। ଘଟଣାକୁ ନେଇ ଆଇଆଇଟି ଗୁୱାହାଟି ପକ୍ଷରୁ କୁହାଯାଇଛି ଯେ, ସଂସ୍ଥା ପୋଲିସ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛି ଏବଂ ତଦନ୍ତ ଶେଷ ହେବା ପରେ ଅଧିକ ସୂଚନା ଦିଆଯିବ।
ପ୍ରାଥମିକ ସୂଚନା ଅନୁସାରେ ରିତେଶ ଜଣେ ମେଧାବୀ ଛାତ୍ର ଥିଲେ। ସେ ଗୋଲ୍ଡମ୍ୟାନ୍ ସାକ୍ସରେ ଇଣ୍ଟର୍ନଶିପ୍ ସୁଯୋଗ ପାଇଥିଲେ ଏବଂ ଆଇଆଇଟି ଗୁୱାହାଟି କୋଡିଂ କ୍ଲବର କମ୍ପେଟିଟିଭ୍ ପ୍ରୋଗ୍ରାମିଂ ବିଭାଗର ମୁଖ୍ୟ ଥିଲେ। ଏହି ଘଟଣା ପରେ ସୋସିଆଲ ମିଡିଆରେ କିଛି ଦାବି ଭାଇରାଲ୍ ହେଉଛି ଯେ, ଏକ ଇଣ୍ଟର୍ନଶିପ୍ ଅନଲାଇନ୍ ଆସେସମେଣ୍ଟକୁ ନେଇ ତାଙ୍କୁ ଶୃଙ୍ଖଳା କମିଟିର କାର୍ଯ୍ୟାନୁଷ୍ଠାନର ଧମକ ମିଳିଥିଲା। ତେବେ ଏହି ଦାବିକୁ ଆଇଆଇଟି ଗୁୱାହାଟି ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ଏହି ଘଟଣାକୁ ନେଇ ସଂସ୍ଥା ସମସ୍ତଙ୍କୁ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛି ଏବଂ ପୋଲିସ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ନ ପହଞ୍ଚିବାକୁ କହିଛି।

