କକ୍ରୋଚ୍ ପାର୍ଟି ପରେ ଏବେ E-20 ଜନତା ପାର୍ଟିର ଏଣ୍ଟ୍ରି; ଶୁଦ୍ଧ ପେଟ୍ରୋଲ ଦାବିରେ ସଂସଦ ଅଭିମୁଖେ କରିବେ ପଦଯାତ୍ରା
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ପ୍ରସଙ୍ଗକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା କକ୍ରୋଚ୍ ଜନତା ପାର୍ଟି (CJP) ଆନ୍ଦୋଳନ ପ୍ରତ୍ୟାହାର କରିବା ପରେ ଏବେ ଆଉ ଏକ ନୂଆ ଜେନ୍-ଜି ସଂଗଠନ E-20 ଜନତା ପାର୍ଟି ସାମ୍ନାକୁ ଆସିଛି। ଏହି ସଂଗଠନର ମୁଖ୍ୟ ଦାବି ହେଉଛି ଦେଶର ବାଇକ୍ ଓ କାର୍ ଚାଳକମାନଙ୍କୁ ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲର ବିକଳ୍ପ ଯୋଗାଇ ଦିଆଯାଉ। ଏହା ସହ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଇସ୍ତଫା ଦାବି ମଧ୍ୟ ସଂଗଠନ ପକ୍ଷରୁ କରାଯାଇଛି।
E-20 ଜନତା ପାର୍ଟି କହିଛି ଯେ, ବର୍ତ୍ତମାନର ଇଥାନଲ ମିଶ୍ରିତ ଇନ୍ଧନ (E-20) ବ୍ୟବହାର ଯୋଗୁଁ ଗାଡ଼ିର ମାଇଲେଜ୍ କମିବା ସହ ପୁରୁଣା ଇଞ୍ଜିନରେ ବିଭିନ୍ନ ଯାନ୍ତ୍ରିକ ସମସ୍ୟା ଦେଖାଦେଉଛି। ଏହି କାରଣରୁ ଗ୍ରାହକଙ୍କୁ ଶୁଦ୍ଧ ପେଟ୍ରୋଲ ବାଛିବାର ସୁଯୋଗ ଦିଆଯିବା ଉଚିତ୍ ବୋଲି ସଂଗଠନ ଦାବି କରିଛି। ଏହା ସହ ପ୍ରତ୍ୟେକ ପେଟ୍ରୋଲ ପମ୍ପରେ କେଉଁ ପ୍ରକାର ଇନ୍ଧନ ବିକ୍ରି ହେଉଛି ଏବଂ ତାହାର ସୁବିଧା ଓ ଅସୁବିଧା ସମ୍ପର୍କିତ ସ୍ପଷ୍ଟ ସୂଚନା ପ୍ରଦର୍ଶନ କରାଯିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
ସଂଗଠନର ଘୋଷଣା ଅନୁସାରେ, ଆସନ୍ତା ଅଗଷ୍ଟ ୪ ତାରିଖରେ ସଂସଦ ଅଭିମୁଖେ ପଦଯାତ୍ରା କରାଯିବ। ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ ଟ୍ୟାକ୍ସି ଆଣ୍ଡ ଟୁରିଷ୍ଟ ଟ୍ରାନ୍ସପୋର୍ଟର୍ସ ଆଣ୍ଡ ଟୁର୍ ଅପରେଟର୍ସ ଆସୋସିଏସନ ସମର୍ଥନ କରିଥିବା ସଂଗଠନ ଦାବି କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ମଧ୍ୟ E-20 ଜନତା ପାର୍ଟିର ଅନୁସରଣକାରୀ ସଂଖ୍ୟା ଦ୍ରୁତ ହାରରେ ବଢ଼ୁଥିବା ସେମାନେ କହିଛନ୍ତି। ତେବେ ଏହି ନୂଆ ସଂଗଠନର ଦାବି ଉପରେ କେନ୍ଦ୍ର ସରକାର କିପରି ପ୍ରତିକ୍ରିୟା ଦେଉଛନ୍ତି ଏବଂ ଏହି ଆନ୍ଦୋଳନ କେତେ ଦୂର ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

