Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୁଁ ଜଣେ ଷ୍ଟ୍ରିଟ୍ ଫାଇଟର୍, AC ରୁମ୍ ଆକ୍ଟିଭିଷ୍ଟ ନୁହେଁ’; ସଂସଦରେ କଂଗ୍ରେସକୁ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜର ରାଜନୈତିକ ଆତ୍ମବିଶ୍ୱାସର ପରିଚୟ ଦେଇଛନ୍ତି। ସଂସଦ ପରିସରରେ କଂଗ୍ରେସ ନେତା ଜୟରାମ ରମେଶଙ୍କ ସହ ଧର୍ମେନ୍ଦ୍ରଙ୍କ ହୋଇଥିବା ସଂକ୍ଷିପ୍ତ କଥାବାର୍ତ୍ତା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଜୟରାମ ରମେଶ ଇସ୍ତଫାକୁ ନେଇ ସମବେଦନା ଜଣାଇବା ପରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “କିଛି ହୋଇନି। ମୁଁ ଜଣେ ଷ୍ଟ୍ରିଟ୍ ଫାଇଟର୍, ଏସି ରୁମ୍ ଆକ୍ଟିଭିଷ୍ଟ ନୁହେଁ।” ତାଙ୍କର ଏହି ମନ୍ତବ୍ୟକୁ ବିଜେପି ନେତାମାନେ ଏକ ଦୃଢ଼ ରାଜନୈତିକ ସନ୍ଦେଶ ଭାବେ ଦେଖୁଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ପହଞ୍ଚିବା ପୂର୍ବରୁ ଏନଡିଏ ସାଂସଦମାନେ ମକର ଦ୍ୱାର ନିକଟରେ ତାଙ୍କର ଭବ୍ୟ ସମ୍ବର୍ଦ୍ଧନା କରିଥିଲେ | ସେ ସଂସଦ ପରିସରକୁ ପ୍ରବେଶ କରିବା ପରେ ଦଳୀୟ ସାଂସଦମାନେ ତାଙ୍କୁ ସ୍ୱାଗତ ଜଣାଇବା ସହ ଏକ ସମ୍ମାନସୂଚକ ଟୋପି ପିନ୍ଧାଇ ଐକ୍ୟ ଓ ସମର୍ଥନର ବାର୍ତ୍ତା ଦେଇଥିଲେ। ବିଜେପିର ଜଣେ ସାଂସଦ କହିଥିଲେ ଯେ, ବ୍ୟକ୍ତିଗତ ଅଭିଯୋଗ ବିନା ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦେବା ଏକ ବିରଳ ଘଟଣା। ଦଳ ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ “ରାଜନୈତିକ ଜବାବଦେହିତା” ଓ “ଦେଶହିତରେ ବଳିଦାନ” ବୋଲି ବର୍ଣ୍ଣନା କରାଯାଇଛି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିଜେପି ଶୀର୍ଷ ନେତୃତ୍ୱ ମଧ୍ୟ ତାଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ବାସଭବନକୁ ଯାଇ ସାକ୍ଷାତ କରିଥିବାବେଳେ, ବିଜେପି ଅଧ୍ୟକ୍ଷ ନିତିନ ନବୀନ ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନର ପ୍ରଶଂସା କରିଛନ୍ତି। ବିହାର, ହରିୟାଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ନିର୍ବାଚନୀ ଦାୟିତ୍ୱ ସଫଳତାର ସହ ତୁଲାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗାମୀ ଦିନରେ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ କିମ୍ବା ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନର ନେତୃତ୍ୱ ଦିଆଯାଇପାରେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଉପସ୍ଥିତି ଓ ବିଜେପିର ସମର୍ଥନ ପ୍ରଦର୍ଶନ ମଧ୍ୟରେ ବିରୋଧୀ ଦଳ ପକ୍ଷରୁ ମଧ୍ୟ ସଂସଦ ପରିସରରେ ପ୍ରତିବାଦ ଜାରି ରହିଥିଲା। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଛାତ୍ର ଆନ୍ଦୋଳନ ସମୟରେ ପୁଲିସର ଅତ୍ୟଧିକ ବଳ ପ୍ରୟୋଗକୁ ବିରୋଧ କରି ପ୍ରଦର୍ଶନ କରିଥିଲେ। ଏହା ସହ ଲୋକସଭାରେ ସାର୍ବଜନୀନ ପରୀକ୍ଷା (ଅନିୟମିତତା ନିବାରଣ) ସଂଶୋଧନ ବିଲ୍–୨୦୨୬କୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ପୁଣିଥରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories