ଦଳଡିଆଁ ନେତାଙ୍କ ଉପରେ ହୋଇପାରେ କଡ଼ା ଆଇନ ! କପିଲ ସିବଲଙ୍କ ପିଟିସନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦଳବଦଳ ନିରୋଧୀ ଆଇନରେ ଥିବା ‘ଦଳୀୟ ମିଶ୍ରଣ’ (Merger) ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ମାମଲାର ଶୁଣାଣି ଆରମ୍ଭ ହେବାର ରହିଛି । ବରିଷ୍ଠ ଆଇନଜୀବୀ ତଥା ସ୍ୱାଧୀନ ରାଜ୍ୟସଭା ସାଂସଦ କପିଲ ସିବଲ ଦାଖଲ କରିଥିବା ପିଟିସନକୁ ସର୍ବୋଚ୍ଚ ନ୍ୟାୟାଳୟ ଗ୍ରହଣ କରିଛନ୍ତି। ଜଷ୍ଟିସ ପି.ଏସ. ନରସିଂହା ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏହି ମାମଲାର ଫଳାଫଳ ଦଳବଦଳ ଆଇନର ବ୍ୟାଖ୍ୟା ଓ ପ୍ରୟୋଗରେ ବଡ଼ ପ୍ରଭାବ ପକାଇପାରେ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଶୁଣାଣି ସମୟରେ କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ, ଗୋଆ ବିଧାୟକଙ୍କ ଦଳବଦଳ ସମ୍ପର୍କିତ ଏକ ସମାନ ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏହାକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ଅଦାଲତ ବର୍ତ୍ତମାନର ପିଟିସନକୁ ସେହି ମାମଲା ସହ ଯୋଡ଼ି ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ସମ୍ବିଧାନର ଦଶମ ଅନୁସୂଚୀ ସଂସଦ ଦ୍ୱାରା ପ୍ରଣୀତ ହୋଇଥିବାରୁ ଏହାର ସଂଶୋଧନ ସଂସଦର ଅଧିକାର କ୍ଷେତ୍ରରେ ପଡ଼େ। ତେବେ ଦଳବଦଳ ଆଇନର କାର୍ଯ୍ୟକାରିତାକୁ ନେଇ ବାସ୍ତବରେ ବିଭିନ୍ନ ଜଟିଳତା ସୃଷ୍ଟି ହେଉଥିବାକୁ କୋର୍ଟ ସ୍ୱୀକାର କରିଛନ୍ତି।
କପିଲ ସିବଲ ତାଙ୍କ ପିଟିସନରେ ଯୁକ୍ତି ଦେଇଛନ୍ତି ଯେ, ଦଶମ ଅନୁସୂଚୀର ଧାରା–୪ର ଅପବ୍ୟବହାର ଯୋଗୁଁ କାର୍ଯ୍ୟକାରିତା ଉପରେ ଜଟିଳ ପ୍ରଭାବ ପଡୁଛି । ଦୁଇ-ତୃତୀୟାଂଶ ସଦସ୍ୟଙ୍କୁ ନେଇ ‘ମିଶ୍ରଣ’ ଦର୍ଶାଇ ଅନେକ ନିର୍ବାଚିତ ସାଂସଦ ଓ ବିଧାୟକ ଦଳବଦଳ କରୁଥିଲେ ମଧ୍ୟ ସଦସ୍ୟପଦ ବଜାୟ ରଖୁଛନ୍ତି। ଏହା ଫଳରେ ନିର୍ବାଚନରେ ମିଳିଥିବା ଜନମତ ପରିବର୍ତ୍ତିତ ହେଉଛି ଏବଂ ସଂଖ୍ୟାଗରିଷ୍ଠ ଦଳ ଅଳ୍ପସଂଖ୍ୟକରେ ପରିଣତ ହେଉଥିବାବେଳେ ଅଳ୍ପସଂଖ୍ୟକ ଦଳ ସରକାର ଗଠନ କରିବା ସ୍ଥିତିକୁ ପହଞ୍ଚୁଛି। ସେ ଆହୁରି ଦାବି କରିଛନ୍ତି ଯେ, ଆମ୍ ଆଦମୀ ପାର୍ଟି (AAP), ତୃଣମୂଳ କଂଗ୍ରେସ (TMC) ଓ ଶିବସେନା (UBT) ପରି ଦଳର କେତେକ ନିର୍ବାଚିତ ପ୍ରତିନିଧି ଏହି ବ୍ୟବସ୍ଥାର ସୁଯୋଗ ନେଇ ଅନ୍ୟ ଦଳରେ ଯୋଗ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୧୯୮୫ ମସିହାରେ ୫୨ତମ ସମ୍ବିଧାନ ସଂଶୋଧନ ଜରିଆରେ ଦଳବଦଳ ନିରୋଧୀ ଆଇନ ଲାଗୁ କରାଯାଇଥିଲା। ପରେ ୨୦୦୩ର ୯୧ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ‘ବିଭାଜନ’ ବ୍ୟବସ୍ଥାକୁ ବିଲୋପ କରାଯାଇ କେବଳ ‘ମିଶ୍ରଣ’ ବ୍ୟବସ୍ଥାକୁ ରଖାଯାଇଥିଲା। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ କୌଣସି ଦଳର ଅତିକମରେ ଦୁଇ-ତୃତୀୟାଂଶ ସାଂସଦ କିମ୍ବା ବିଧାୟକ ଅନ୍ୟ ଦଳ ସହ ମିଶିଲେ ସେମାନଙ୍କ ସଦସ୍ୟପଦ ରଦ୍ଦ ହୁଏନାହିଁ। କପିଲ ସିବଲଙ୍କ ମତରେ, ଏହି ବ୍ୟବସ୍ଥା ଦଳବଦଳ ନିରୋଧୀ ଆଇନର ମୂଳ ଉଦ୍ଦେଶ୍ୟକୁ କ୍ଷୁଣ୍ଣ କରୁଛି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ଲୋଡ଼ିଥିବାରୁ ଆଗାମୀ ଦିନରେ ଏହି ଆଇନର ବ୍ୟାଖ୍ୟା ଓ ପ୍ରୟୋଗରେ ବଡ଼ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି |

