”ରାତି ୨ଟାରେ କାଜଲ ଓ ଲିପଷ୍ଟିକ୍ ଲଗାଇବା ମାନସିକ ରୋଗର ପ୍ରମାଣ ନୁହେଁ”: ଝାଡ଼ଖଣ୍ଡ ହାଇକୋର୍ଟ
ଝାଡ଼ଖଣ୍ଡ: ଜଣେ ମହିଳା ରାତି ୨ଟା ସମୟରେ କାଜଲ ଓ ଲିପଷ୍ଟିକ୍ ଲଗାଇବାକୁ ମାନସିକ ରୋଗର ପ୍ରମାଣ ବୋଲି ଧରାଯାଇପାରିବ ନାହିଁ। ଝାଡ଼ଖଣ୍ଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି | “ବିବାହ ପରେ ନବବିବାହିତା ଯେକୌଣସି ସମୟରେ ନିଜକୁ ସଜେଇବା ଏକ ସାଧାରଣ କଥା,” ବୋଲି ଅଦାଲତ ମନ୍ତବ୍ୟ କରିଛନ୍ତି। ଗିରିଡିହ ପରିବାର ଅଦାଲତର ରାୟକୁ ବଜାୟ ରଖି ହାଇକୋର୍ଟ ସ୍ୱାମୀଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ପତ୍ନୀ ମାନସିକ ରୋଗରେ ପୀଡ଼ିତ ବୋଲି ପ୍ରମାଣ କରିବା ପାଇଁ ସ୍ୱାମୀ କୌଣସି ମନୋରୋଗ ବିଶେଷଜ୍ଞ, ଚିକିତ୍ସା ରେକର୍ଡ କିମ୍ବା ବିଶେଷଜ୍ଞଙ୍କ ସାକ୍ଷ୍ୟ ଉପସ୍ଥାପନ କରିପାରିନଥିଲେ।
ତେବେ ମାମଲାର ଶୁଣାଣି କରିବା ସମୟରେ ସ୍ୱାମୀ ଜଣକ ଦାବି କରିଥିଲେ ଯେ, ୨୦୧୫ରେ ବିବାହ ପରେ ରାତି ପ୍ରାୟ ୨ଟାରେ ପତ୍ନୀଙ୍କୁ କାଜଲ ଓ ଲିପଷ୍ଟିକ୍ ଲଗାଉଥିବା ଦେଖି ସେ ତାଙ୍କ ମାନସିକ ସ୍ଥିତିକୁ ନେଇ ସନ୍ଦେହ କରିଥିଲେ। ଏହା ସହ ପତ୍ନୀଙ୍କ ପରିବାର ବିବାହ ପୂର୍ବରୁ ତାଙ୍କ ଅସୁସ୍ଥତା ଲୁଚାଇଥିବା ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଅଦାଲତ ଉଲ୍ଲେଖ କରିଥିଲେ ଯେ, ବିବାହ ପୂର୍ବରୁ ଉଭୟଙ୍କର ପରିଚୟ ଥିଲା ଏବଂ ବିବାହ ପରେ ସେମାନେ ପ୍ରାୟ ଅଢ଼େଇ ବର୍ଷ ଧରି ଏକାଠି ରହିଥିଲେ। ପରେ ସ୍ୱାମୀ ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ି ଆସିବା ପରଦିନ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।
ଅନ୍ୟପକ୍ଷରେ ପତ୍ନୀ ଅଦାଲତରେ କହିଥିଲେ ଯେ, ଯୌତୁକ ଦାବି ପୂରଣ ନ ହେବାରୁ ତାଙ୍କୁ ମିଥ୍ୟାରେ ମାନସିକ ରୋଗୀ ବୋଲି କୁହାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ବାପା ସ୍ୱାମୀଙ୍କ ଖାତାକୁ ଆରଟିଜିଏସ୍ ମାଧ୍ୟମରେ ୧ ଲକ୍ଷ ଟଙ୍କା ପଠାଇଥିଲେ ମଧ୍ୟ ଅତିରିକ୍ତ ୨ ଲକ୍ଷ ଟଙ୍କା ନ ଦେବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ଅଦାଲତ ଆହୁରି କହିଥିଲେ ଯେ, ବୁଝାବଣା ପ୍ରକ୍ରିୟାରେ ପତ୍ନୀ ବାରମ୍ବାର ସ୍ୱାମୀଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସ୍ୱାମୀ ତାଙ୍କୁ ଫେରାଇ ନେବାକୁ ରାଜି ହୋଇନଥିଲେ। ଶେଷରେ ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ, ମାନସିକ ରୋଗ ଛାଡ଼ପତ୍ରର ଆଧାର ହୋଇପାରେ, କିନ୍ତୁ ତାହା ପାଇଁ ଉପଯୁକ୍ତ ଚିକିତ୍ସା ପ୍ରମାଣ ଆବଶ୍ୟକ। ଏହି ମାମଲାରେ ସ୍ୱାମୀ ମାନସିକ ରୋଗ କିମ୍ବା ପରିତ୍ୟାଗର ଅଭିଯୋଗ ପ୍ରମାଣ କରିପାରିନଥିବାରୁ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ ।

