ଉବର୍ ଡ୍ରାଇଭରଙ୍କ ଅସାବଧାନତା: ବାଇକ୍କୁ ଧକ୍କା ଦେଇ ଅଧ କିଲୋମିଟର ଯାଏଁ ଘୋଷାଡ଼ିନେଲା କାର୍
ମହାରାଷ୍ଟ୍ର: ମହାରାଷ୍ଟ୍ରର ଠାଣେ ଜିଲ୍ଲାର ମୀରା ରୋଡ୍ରେ ଏକ ଚାଞ୍ଚଲ୍ୟକର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗତିରେ ଆସୁଥିବା ଉବର୍ ବ୍ଲାକ୍ କାର୍ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ ଟାଣିନେଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଆଖି ଲାଗିଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିଲା।
ଘଟଣାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କାର୍ଟି ବାଇକ୍ ଓ ଆରୋହୀଙ୍କୁ ଗାଡ଼ିର ବାମ ପାର୍ଶ୍ୱ ସାମ୍ନା ଚକ ତଳେ ଟାଣିନେଇ ଦ୍ରୁତ ଗତିରେ ଚାଲିଯାଉଥିବା ଦେଖାଯାଇଛି। ରାସ୍ତାରେ ଥିବା ଅନ୍ୟ ଲୋକମାନେ ଡ୍ରାଇଭରଙ୍କୁ ଗାଡ଼ି ଅଟକାଇବାକୁ ଚିତ୍କାର କରିଥିଲେ ମଧ୍ୟ ସେ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଚଳାଇଥିଲେ। ପରେ ସେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିବା ଅଭିଯୋଗ ରହିଛି। ପ୍ରଥମେ ଡ୍ରାଇଭର ମଦ୍ୟପ ଥିବା ସନ୍ଦେହ କରାଯାଇଥିଲେ ମଧ୍ୟ ଡାକ୍ତରୀ ପରୀକ୍ଷାରେ ସେ ମଦ୍ୟପାନ କରିନଥିବା ସ୍ପଷ୍ଟ ହୋଇଛି।
ପୁଲିସ କହିଛି, ଅଭିଯୁକ୍ତ ଡ୍ରାଇଭରଙ୍କ ନାମ ଆଦିଲ୍ ତସଲିମ୍ ଅନସାରି। ସେ MH 01 FE 5919 ନମ୍ବର ବିଶିଷ୍ଟ ଏକ ଟୟୋଟା ହାଇଲ୍ୟାଣ୍ଡର୍ କାର୍ ଚଳାଉଥିଲେ, ଯାହା ଉବର୍ର ପ୍ରିମିୟମ୍ ସେବା ‘ଉବର୍ ବ୍ଲାକ୍’ ସହ ପଞ୍ଜିକୃତ ଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଦୀର୍ଘ ସମୟ ଧରି ବିଶ୍ରାମ ନ ମିଳିବାରୁ ଡ୍ରାଇଭର ଜଣଙ୍କୁ ନିଦ ଲାଗିବାରୁ ଆଖି ଲାଗିଯାଇଥିଲା | ଯାହାଫଳରେ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଘଟଣାରେ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

