କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା; ଜାଣନ୍ତୁ କେମିତି ହେଲା ଏ ଛାତିଥରା ଦୁର୍ଘଟଣା?


ଭୁବନେଶ୍ୱର: ଗତକାଲି ରାତିରେ ବାଲେଶ୍ୱର ବାହାନଗାରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦୁର୍ଘଟଣାରେ ଏବେ ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ହୋଇଛିଥିବା ସୂଚନା ମିଳିଛି। ତେବେ ସଦ୍ୟ ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ୨୮୮ ଉପରେ ରହିଛି । ପ୍ରଥମେ ବାହାନଗାରେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ମାଲଗାଡ଼ିକୁ ଧକ୍କା ଦେଇଥିଲା । ପରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪) ମଧ୍ୟ ଲାଇନଚ୍ୟୁତ୍ କରମଣ୍ଡଳକୁ ଧକ୍କା ଦେଇଥିଲା ।

ତେବେ ସରକାରୀ ସୂତ୍ରରୁ ପ୍ରକାଶ ଯେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ୨୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଶାଲିମାର ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ ହୋଇ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହାପରେ ଯଶବନ୍ତପୁର-ହାଓ୍ୱଡା ସୁପରଫାଷ୍ଟ ଟ୍ରେନ୍ ଲାଇନଚ୍ୟୁତ ହୋଇ କରମଣ୍ଡଳକୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାତ୍ରିବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଯାହା ଭାରତ ଇତିହାସରେ କଳା ଦିନ ହୋଇରହିବ।

ଏହି ଭୟଙ୍କର ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଥିଲା। ଏହି ସମୟରେ ବହୁସଂଖ୍ୟକ ଯାତ୍ରୀ ଶୋଇଥିବା ଅବସ୍ଥାରେ ଥିଲେ। ଟ୍ରେନ୍‌ଟି ଚେନ୍ନାଇ ଅଭିମୁଖେ ଯାଉଥିଲା। କରମଣ୍ଡଳ ଶାଲିମାର ଏକ୍ସପ୍ରେସ୍ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ଅନେକ ବଗି ଓଲଟି ପଡ଼ିଥିବା ସୂଚନା ମିଳିଛି। ଏହି ସମୟରେ ଟ୍ରେନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିଥିଲା।

ପ୍ରତ୍ୟକ୍ଷଦର୍ଶୀ ଏବଂ ଅଧିକାରୀମାନେ ଏହି ଭୟଙ୍କର ଦୃଶ୍ୟର କରୁଣ କାହାଣୀ ବଖାଣିଛନ୍ତି। ଏହି ଦୁର୍ଘଟଣା ସନ୍ଧ୍ୟା ୬ଟା ୫୦ ରୁ ୭ଟା ୧୦ ମଧ୍ୟରେ ଘଟିଥିବା ଜଣାପଡ଼ିଛି। ରେଳବାଇ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାରେ ଟ୍ରେନର ବଗିଗୁଡ଼ିକ ଭାଙ୍ଗିଯିବା ସହ ରେଳ ଧାରଣାରେ ଫାଟ ମଧ୍ୟ ସୃଷ୍ଟି ହୋଇଛି।

ପୁଣି ଥରେ ଅତୀତକୁ ଦୋହରାଇଲା କରମଣ୍ଡଳ ଏକ୍ସପ୍ରେସ। ଦୀର୍ଘ ୧୪ ବର୍ଷ ପୂର୍ବରୁ ହୋଇଥିଲା ଏମିତି ଏକ ଭୟଙ୍କର ଦୁର୍ଘଟଣା। ଏବେ ୧୪ ବର୍ଷ ପରେ ପରେ ରେଳଟ୍ରାକ୍‌ରେ ଘଟିଛି ଭୟଙ୍କର ଦୁର୍ଘଟଣା। ୨୦୦୯ ମସିହା ଫେବୃୟାରୀ ୧୩ ତାରିଖରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୧୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଘଟଣାଟି ଘଟିଥିଲା ଯାଜପୁର ରୋଡ଼ ନିକଟରେ ଘଟିଥିଲା । ଏବେ ୧୪ ବର୍ଷ ପରେ ପୁଣି ଥରେ ବାଲେଶ୍ୱର ଜିଲ୍ଲାର ବାହାନଗାରେ ରାତିର ଅନ୍ଧକାର ଭିତରେ ଘଟିଛି ଭୟଙ୍କର ଦୁର୍ଘଟଣା।