ଆସାମ ବନ୍ୟାରେ ୭୫ ଜଣଙ୍କର ମୃତ୍ୟୁ ; ପୀଡ଼ିତ ପରିବାରଙ୍କ ପାଇଁ ୯ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା
ଆସାମ: ଆସାମରେ ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ସ୍ଥିତିରେ ରହିଛି। ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ବଢ଼ି ୭୫ରେ ପହଞ୍ଚିଥିବା ବେଳେ ଗତ କିଛି ଦିନ ତୁଳନାରେ ସାମଗ୍ରିକ ପରିସ୍ଥିତିରେ ଏବେ ସାମାନ୍ୟ ସୁଧାର ଆସିଛି । ପ୍ରଭାବିତ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାରରୁ କମି ୩ ଲକ୍ଷ ୩୨ ହଜାରରେ ପହଞ୍ଚିଛି। ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ASDMA) ଅନୁସାରେ, ମଙ୍ଗଳବାର ସିବସାଗର ଜିଲ୍ଲାର ନାଜିରା ରେଭେନ୍ୟୁ ସର୍କଲରେ ୭ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି।
ବନ୍ୟା ପୀଡ଼ିତଙ୍କ ପାଇଁ ଆସାମ ସରକାର ବଡ଼ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ବନ୍ୟାରେ ମୃତ କିମ୍ବା ନିଖୋଜ ବ୍ୟକ୍ତିଙ୍କ ପରିବାରକୁ ମୋଟ ୯ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ପୂର୍ବରୁ ମିଳୁଥିବା ୪ ଲକ୍ଷ ଟଙ୍କା ସହାୟତା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଅତିରିକ୍ତ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହାସହ କ୍ଷତିପୂରଣ ପାଇଁ ପୋଷ୍ଟମର୍ଟମ୍ ରିପୋର୍ଟର ବାଧ୍ୟତାମୂଳକ ବ୍ୟବସ୍ଥାକୁ ହଟାଯାଇଛି। ବଦଳରେ ସର୍କଲ ଅଫିସରଙ୍କ ପ୍ରମାଣପତ୍ର ଆଧାରରେ ସହାୟତା ମିଳିପାରିବ।
ସିବସାଗର, ଚରାଇଦେଓ, ଯୋରହାଟ ଓ ଗୋଲାଘାଟ ଭଳି ସର୍ବାଧିକ ପ୍ରଭାବିତ ଜିଲ୍ଲାର ପ୍ରାୟ ଏକ ଲକ୍ଷ ପରିବାରକୁ ୧୫ ହଜାର ଟଙ୍କା ଲେଖାଏଁ ଅନ୍ତରୀଣ ସହାୟତା ଦିଆଯିବ। ସେହିପରି ‘ଅରୁଣୋଦୟ’ ଯୋଜନାର ହିତାଧିକାରୀମାନେ ଅଗଷ୍ଟ ମାସରେ ୧୨୫୦ ଟଙ୍କା ପରିବର୍ତ୍ତେ ୨୫୦୦ ଟଙ୍କା ପାଇବେ। ବର୍ତ୍ତମାନ ସେନା, ବାୟୁସେନା, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟର ୮୧ଟି ରିଲିଫ୍ କ୍ୟାମ୍ପରେ ୩୨ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଥିବା ବେଳେ ୪୫ ହଜାର ହେକ୍ଟରରୁ ଅଧିକ ଚାଷ ଜମି ଏବେ ମଧ୍ୟ ଜଳମଗ୍ନ ରହିଛି। କିଛି ଅଞ୍ଚଳରେ ବନ୍ୟାଜଳ କମିବା ଆରମ୍ଭ ହୋଇଥିଲେ ମଧ୍ୟ ହଜାର ହଜାର ପରିବାର ଏବେ ବି ନିଜ ଘରକୁ ଫେରିପାରି ନାହାନ୍ତି। ବନ୍ୟା ପରବର୍ତ୍ତୀ ପୁନର୍ବାସ ଏବଂ ସାଧାରଣ ଜୀବନ ଫେରାଇବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି।

