Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଆଇ ଡିପ୍‌ଫେକ୍‌ ପୋଷ୍ଟ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିତିନ ଗଡ଼କରୀ, ଦାଏର କଲେ ୧୧ କୋଟି ଟଙ୍କାର ମାନହାନି ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏଆଇ ଡିପ୍‌ଫେକ୍‌, ଭୁଆ ଭିଡିଓ ଏବଂ ସୋସିଆଲ ମିଡିଆରେ ପ୍ରଚାରିତ ଅପମାନଜନକ ପୋଷ୍ଟକୁ ନେଇ ବମ୍ବେ ହାଇକୋର୍ଟରେ ୧୧ କୋଟି ଟଙ୍କାର ମାନହାନି ମାମଲା ଦାଏର କରିଛନ୍ତି। ଆବେଦନରେ କୁହାଯାଇଛି ଯେ, ତାଙ୍କୁ ଓ ତାଙ୍କ ପରିବାରକୁ ଇ-୨୦ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଏବଂ କଥିତ ଦୁର୍ନୀତି ସହ ଭୁଲ ଭାବେ ଜଡ଼ାଯାଇ ତାଙ୍କର ଛବିକୁ କ୍ଷତି ପହଞ୍ଚାଯାଇଛି।

ଗଡ଼କରୀ ତାଙ୍କ ଆବେଦନରେ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ୍ (EBP) କିମ୍ବା ଇ-୨୦ ନୀତିର ପ୍ରସ୍ତୁତି, ପରିଚାଳନା କିମ୍ବା କାର୍ଯ୍ୟକାରୀକରଣ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବା ବେଳେ, ତାଙ୍କ ନାମରେ ପ୍ରଚାରିତ ରିଲ୍‌, ମିମ୍‌, ଡିପ୍‌ଫେକ୍‌ ଭିଡିଓ ଓ ଭୁଆ ଉକ୍ତିଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଓ ମାନହାନିକର ବୋଲି ସେ ଦର୍ଶାଇଛନ୍ତି।

ଏହି ମାମଲାରେ ମେଟା, ଏକ୍ସ, ଗୁଗୁଲ, ୟୁଟ୍ୟୁବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଦୂରସଂଚାର ବିଭାଗ ସହ ଅଜଣା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଗଡ଼କରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କ ନାମ, ଚେହେରା ଓ ସ୍ୱର ବ୍ୟବହାର କରି ପ୍ରସ୍ତୁତ ସମସ୍ତ ଡିପ୍‌ଫେକ୍‌ ବିଷୟବସ୍ତୁକୁ ତୁରନ୍ତ ହଟାଇବା ସହ ୧୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ। ଏହି ମାମଲାର ଖୁବ୍ ଶୀଘ୍ର ବମ୍ବେ ହାଇକୋର୍ଟରେ ଶୁଣାଣି ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ