‘ଚୁଟି କାଟିଲେ ମିଳିବ ୧୫ ହଜାର ଟଙ୍କା’; ନକଲି ସରକାରୀ ଯୋଜନାର ଶିକାର ହେଲେ ତାମିଲନାଡୁର ୩ ମହିଳା
ତାମିଲନାଡୁ: ତାମିଲନାଡୁର ସାଲେମ ଜିଲ୍ଲାରେ ଏକ ଅଜବ ଠକେଇ ଘଟଣା ସାମ୍ନାକୁ ଆସିଛି। ଏକ ନକଲି ସରକାରୀ ଯୋଜନାର ଲୋଭ ଦେଖାଇ ଜଣେ ଠକ ପ୍ରାୟ ୨୦ ଜଣ ଗ୍ରାମବାସୀଙ୍କୁ ଠକିବାକୁ ଚେଷ୍ଟା କରିଥିଲା। ଏହି ଠକଙ୍କ କଥାରେ ବିଶ୍ୱାସ କରି ୩ ଜଣ ମହିଳା ମୁଣ୍ଡରୁ ଚୁଟି କାଟି ଲଣ୍ଡା ହୋଇଥିବା ଜଣାପଡ଼ିଛି। ଠକ ଜଣକ ନିଜକୁ ସରକାରୀ ଅଧିକାରୀ ପରିଚୟ ଦେଇ ମହିଳାମାନଙ୍କୁ କହିଥିଲା ଯେ, ଏକ ନୂଆ ସଂକ୍ରାମକ ରୋଗ ମାନବ କେଶ ମାଧ୍ୟମରେ ବ୍ୟାପୁଛି ଏବଂ ଏଥିରୁ ବଞ୍ଚିବା ପାଇଁ ଲଣ୍ଡା ହେବା ନିହାତି ଆବଶ୍ୟକ।
ଠକ ଜଣକ ବିଶ୍ୱାସ ଜିତିବା ପାଇଁ ପ୍ରଥମେ ମହିଳାଙ୍କ ନାମ ଓ ପରିବାର ସମ୍ପର୍କିତ ତଥ୍ୟ ଦେଇଥିଲା। ପରେ ସେ ଦାବି କରିଥିଲା ଯେ, ତାମିଲନାଡୁ ସରକାର ମୁଣ୍ଡ ଲଣ୍ଡା କରୁଥିବା ମହିଳାଙ୍କୁ ୧୫ ହଜାର ଟଙ୍କା ସହାୟତା ଦେବେ। ଏହାସହ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ୪୫ ହଜାର ଟଙ୍କା ସହ ଲାପଟପ୍ ଏବଂ ପୁରୁଷଙ୍କୁ ୬ ହଜାର ଟଙ୍କା ମିଳିବ ବୋଲି ମିଥ୍ୟା ସୂଚନା ଦେଇଥିଲା।
ଠକଙ୍କ କଥାରେ ବିଶ୍ୱାସ କରି ଗାଁର ପ୍ରାୟ ୨୦ ଜଣ ଲୋକ ଲଣ୍ଡା ହେବାକୁ ପ୍ରସ୍ତୁତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ମହିଳା ମୁଣ୍ଡ ଲଣ୍ଡା କରିଥିଲେ। ପରେ ଟଙ୍କା ପାଇବା ପାଇଁ ଠକଙ୍କ ସହ ଯୋଗାଯୋଗ କରିବା ବେଳେ ତାଙ୍କ ମୋବାଇଲ ଫୋନ୍ ବନ୍ଦ ଥିବା ଜଣାପଡ଼ିଥିଲା। ଏହାପରେ ମହିଳାମାନେ ଠକେଇର ଶିକାର ହୋଇଥିବା ବୁଝିଥିଲେ ଏବଂ ଏହାପରେ ଅନ୍ୟ ଗ୍ରାମବାସୀମାନେ ଏହି ଯୋଜନା ବାତିଲ କରିଥିଲେ।

