ୟୁକ୍ରେନ ବନ୍ଦରରେ ଫସିଲେ ୧୩ ଭାରତୀୟ ନାବିକ, ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ମଧ୍ୟରେ ଜୀବନ ସଙ୍କଟ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୧୩ ଜଣ ଭାରତୀୟ ନାବିକ ସଙ୍କଟରେ ଫସିଛନ୍ତି। ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଅଟକି ରହିଥିବା ମାଲବାହୀ ଜାହାଜ MV AMIR1ରେ ଥିବା ଏହି ଭାରତୀୟ ନାବିକମାନେ ଲଗାତାର ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ଭୟ ମଧ୍ୟରେ ଦିନ କାଟୁଛନ୍ତି। ଏହି ଘଟଣାକୁ ନେଇ ଫରୱାର୍ଡ ସିମେନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆ କେନ୍ଦ୍ର ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ନାବିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଅପିଲ କରିଛି।
ସୂଚନା ଅନୁସାରେ, MV AMIR1 ଜାହାଜରେ ମୋଟ ୧୫ ଜଣ କ୍ରୁ ସଦସ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଭାରତୀୟ। ଜାହାଜଟି ଚୋର୍ନୋମୋର୍ସ୍କ ବନ୍ଦରରେ ଅଟକି ରହିଥିବା ସମୟରେ ଏହାର ଆଖପାଖ ଅଞ୍ଚଳରେ ବାରମ୍ବାର ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ହେଉଛି। ଫଳରେ ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ୟୁନିଅନ୍ ପକ୍ଷରୁ କୁହାଯାଇଛି ଯେ, ନାବିକମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥିତିରେ ରହିଛନ୍ତି ଏବଂ ସେମାନଙ୍କ ଶୀଘ୍ର ଉଦ୍ଧାର ଆବଶ୍ୟକ।
ବ୍ଲାକ୍ ସି ଅଞ୍ଚଳରେ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ବଢ଼ିବା ପରେ ସମୁଦ୍ର ପରିବହନ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଏହି ପରିସ୍ଥିତିରେ ୟୁକ୍ରେନ ବନ୍ଦରରେ ଫସିଥିବା ୧୩ ଭାରତୀୟ ନାବିକଙ୍କ ସୁରକ୍ଷିତ ଫେରାଇ ଆଣିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ନାବିକମାନଙ୍କ ପରିବାର ମଧ୍ୟ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି।

