ଏଣିକି ‘ବନ୍ଦେ ମାତରମ୍’କୁ ଅପମାନ କରିବା ଦଣ୍ଡନୀୟ ଅପରାଧ! ରାଜ୍ୟସଭାରେ ପାରିତ ହେଲା ନୂଆ ବିଲ୍’
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍’କୁ ଅପମାନ କରିବା ଏବେ ହେବ ଦଣ୍ଡନୀୟ ଅପରାଧ । ଏନେଇ ଆଗତ ହୋଇଥିବା ‘ପ୍ରିଭେନସନ୍ ଅଫ୍ ଇନ୍ସଲ୍ଟସ୍ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍, ୨୦୨୬’କୁ ବୁଧବାର ରାଜ୍ୟସଭାରେ ପାରିତ କରାଯାଇଛି। ବହୁମତରେ ଏହି ବିଲ୍କୁ ଅନୁମୋଦନ ମିଳିଛି। ଏହି ବିଲ୍ ମାଧ୍ୟମରେ ‘ବନ୍ଦେ ମାତରମ୍’କୁ ରାଷ୍ଟ୍ରୀୟ ସଙ୍ଗୀତ ‘ଜନ ଗଣ ମନ’ ସହ ସମାନ ଆଇନଗତ ସୁରକ୍ଷା ଦେବାକୁ ପ୍ରସ୍ତାବ ରହିଛି।
ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳଗୁଡ଼ିକ ନିଟ୍ ପେପର ଲିକ୍ ବିରୋଧୀ ଆନ୍ଦୋଳନ ସମୟରେ ଦିଲ୍ଲୀରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜବାବ ଦାବି କରିଥିଲେ। ହଙ୍ଗାମା ମଧ୍ୟରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ପରେ ଗୃହରୁ ୱାକ୍ଆଉଟ୍ କରିଥିଲେ। ତେବେ ବିରୋଧ ମଧ୍ୟରେ ଗୃହର କାର୍ଯ୍ୟ ଜାରି ରହିଥିଲା।
କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲ୍ ଉପରେ ଜବାବ ଦେଇ କହିଥିଲେ ଯେ ‘ବନ୍ଦେ ମାତରମ୍’ ଦେଶର ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଏକ ଭାବନା। ଅନେକ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ବଳିଦାନ ଦେବା ସମୟରେ ଏହାକୁ ଶେଷ ଶବ୍ଦ ଭାବେ ଉଚ୍ଚାରଣ କରିଥିଲେ ବୋଲି ସେ କହିଥିଲେ।
ନୂଆ ବିଲ୍ ଅନୁସାରେ ଜାତୀୟ ପତାକା, ସମ୍ବିଧାନ, ରାଷ୍ଟ୍ରୀୟ ସଙ୍ଗୀତ ଏବଂ ଜାତୀୟ ସମ୍ମାନ ସହ ଜଡ଼ିତ ପ୍ରତୀକଗୁଡ଼ିକୁ ଅପମାନ କରିବା ଅପରାଧ ହେବ। ଏଥିପାଇଁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି। ଜୁଲାଇ ୨୪ରେ ଏହି ବିଲ୍କୁ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା।

