ମହିଳାଙ୍କୁ ଯୌନ ଶୋଷଣ ଓ ଗର୍ଭପାତ ପାଇଁ ଜୋର ଜବରଦସ୍ତ କରିବା ଅଭିଯୋଗ; ହାଇଦ୍ରାବାଦ ପୁଲିସ ଅଧିକାରୀ ନିଲମ୍ବିତ
ହାଇଦ୍ରାବାଦ: ହାଇଦ୍ରାବାଦର ଜୁବିଲି ହିଲ୍ସ ଥାନାର SHO ଉଦୟ ଶ୍ରୀନିବାସୁଲୁ ରେଡ୍ଡୀଙ୍କୁ ନିଲମ୍ବିତ କରାଯାଇଛି। ଜଣେ ୩୧ ବର୍ଷୀୟା ମହିଳାଙ୍କୁ ଯୌନ ଶୋଷଣ, ବ୍ଲାକମେଲ୍ ଏବଂ ଗର୍ଭପାତ ପାଇଁ ଜୋର ଜବରଦସ୍ତ କରିବା ଭଳି ଗୁରୁତର ଅଭିଯୋଗ ପରେ ହାଇଦ୍ରାବାଦ ପୁଲିସ କମିଶନର ଭିସି ସଜ୍ଜନାର ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଛନ୍ତି। ପ୍ରାଥମିକ ତଦନ୍ତ ପରେ ବିଭାଗୀୟ ତଦନ୍ତ ଚାଲିଥିବା ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି।
ସଙ୍ଗାରେଡ୍ଡି ଜିଲ୍ଲାର ମହିଳା ଜଣକ ପୁଲିସ ଡିଜିପି ସିଭି ଆନନ୍ଦଙ୍କ ନିକଟରେ ଅଭିଯୋଗ କରି କହିଥିଲେ ଯେ, ଶ୍ରୀନିବାସୁଲୁ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଧମକ ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ବ୍ୟକ୍ତିଗତ ଭିଡିଓ ଭାଇରାଲ୍ କରିବାର ଭୟ ଦେଖାଇ ଅଧିକାରୀ ଜଣକ ୨ କୋଟି ଟଙ୍କା ଦାବି କରିଥିଲେ। ଏହା ସହ ଗର୍ଭବତୀ ହେବା ପରେ ତାଙ୍କୁ ହସ୍ପିଟାଲ ନେଇ ଗର୍ଭପାତ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁସାରେ, ଘଟଣାର ଆରମ୍ଭ ୨୦୨୧ ମସିହାରେ ହୋଇଥିଲା। ସେତେବେଳେ ଶ୍ରୀନିବାସୁଲୁ ଆମିନପୁର ଥାନାରେ ଇନ୍ସପେକ୍ଟର ଥିଲେ ଏବଂ ଏକ ପାରିବାରିକ ବିବାଦ ମାମଲାରେ ମହିଳାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଅନ୍ୟପଟେ, ଅଭିଯୁକ୍ତ ଅଧିକାରୀ ଅଭିଯୋଗକୁ ଖଣ୍ଡନ କରି ମହିଳା ତାଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିବା ଦାବି କରିଛନ୍ତି। ଏବେ ପୁଲିସ ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରି ମାମଲାର ତଦନ୍ତ କରୁଛି।

