‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ କମିଟିର କାର୍ଯ୍ୟକାଳ ବଢ଼ିଲା; ଶୀତକାଳୀନ ଅଧିବେଶନ ଯାଏଁ ମିଳିଲା ସମୟ
ନୂଆଦିଲ୍ଲୀ:‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ (ଗୋଟିଏ ଦେଶ, ଗୋଟିଏ ନିର୍ବାଚନ) ପ୍ରସ୍ତାବ ଉପରେ ଅଧ୍ୟୟନ କରୁଥିବା ସଂସଦୀୟ ଯୁଗ୍ମ କମିଟିର କାର୍ଯ୍ୟକାଳ ବଢ଼ାଯାଇଛି। କମିଟିକୁ ନିଜ ରିପୋର୍ଟ ଦାଖଲ କରିବା ପାଇଁ ଆଗାମୀ ଶୀତକାଳୀନ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି।
ବୁଧବାର ଲୋକସଭାରେ କମିଟି ଅଧ୍ୟକ୍ଷ ପି.ପି. ଚୌଧୁରୀ କାର୍ଯ୍ୟକାଳ ବୃଦ୍ଧି ନେଇ ପ୍ରସ୍ତାବ ଆଗତ କରିଥିଲେ। ପରେ ଏହାକୁ ବାଚନିକ ଭୋଟ୍ ମାଧ୍ୟମରେ ଗୃହୀତ କରାଯାଇଥିଲା। ୪୧ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି କମିଟି ‘ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍, ୨୦୨୪’ର ସମୀକ୍ଷା କରୁଛି।
ଏହି ବିଲ୍ର ଲକ୍ଷ୍ୟ ହେଉଛି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ କରାଇବା। କମିଟି ୨୦୨୯ ସୁଦ୍ଧା ଦେଶରେ ଲୋକସଭା, ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥା ନିର୍ବାଚନକୁ ଏକତ୍ର କରିବା ନେଇ ବିଶେଷଜ୍ଞ ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଜାରି ରଖିଛି। ସାଧାରଣତଃ ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହୋଇଥାଏ।

