୪୨ ବର୍ଷ ବୟସରେ ମାଆ ହେଲେ କରିସ୍ମା ତନ୍ନା! ପୁତ୍ର ସନ୍ତାନ ଜନ୍ମ ପରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଲେ ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ କରିସ୍ମା ତନ୍ନା ମାଆ ହୋଇଛନ୍ତି। ୨୯ ଜୁଲାଇ ୨୦୨୬ରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ସୂଚନା ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, “ଗୁରୁ ପୂର୍ଣ୍ଣିମାର ପବିତ୍ର ଦିନରେ ଆମ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ ଆସିଛି। ୨୯ ଜୁଲାଇ ୨୦୨୬… ଆମ ଦୁନିଆକୁ ସ୍ୱାଗତ, କୁନି ଅତିଥି।” ଏହି ଖବର ପରେ ସୋସିଆଲ ମିଡିଆରେ ଦମ୍ପତିଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।
କରିସ୍ମାଙ୍କ ଏହି ଘୋଷଣା ପରେ ଅନେକ ବଲିଉଡ୍ ଓ ଟେଲିଭିଜନ୍ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖୁସି କପୁର, ଅଞ୍ଜଳି ଆନନ୍ଦ, ସୋନାଲ ଚୌହାନ, ଅନୁଷ୍କା ରଞ୍ଜନ, ୱାମିକା ଗବ୍ବିଙ୍କ ସମେତ ଅନେକ ସେଲିବ୍ରିଟି ନୂତନ ପିତାମାତାଙ୍କ ପାଇଁ ଶୁଭକାମନା ଜଣାଇଛନ୍ତି। କରିସ୍ମା ଗତ ୬ ଏପ୍ରିଲ ୨୦୨୬ରେ ନିଜ ଗର୍ଭଧାରଣ ବିଷୟରେ ସୂଚନା ଦେଇଥିଲେ। ଏହାପରେ ସେ ନିୟମିତ ଭାବେ ମାଟର୍ନିଟି ଫଟୋସୁଟ୍ର ଫଟୋ ଶେୟାର କରୁଥିଲେ, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।
କରିସ୍ମା ତନ୍ନା ଓ ବରୁଣ ବାଙ୍ଗେରା ୫ ଫେବୃଆରୀ ୨୦୨୨ରେ ମୁମ୍ବାଇରେ ଏକ ଘନିଷ୍ଠ ସମାରୋହରେ ବିବାହ କରିଥିଲେ। ୨୦୦୧ ମସିହାରେ ‘କ୍ୟୁଙ୍କି ସାସ ଭି କଭି ବହୁ ଥି’ ଧାରାବାହିକ ମାଧ୍ୟମରେ ସେ ଅଭିନୟ ଜଗତରେ ପଦାର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅନେକ ଲୋକପ୍ରିୟ ଟିଭି ଶୋ’ ଓ ୱେବ୍ ସିରିଜ୍ରେ ଅଭିନୟ କରିଛନ୍ତି। ଶେଷ ଥର ପାଇଁ ସେ ୨୦୨୩ରେ ମୁକ୍ତିଲାଭ କରିଥିବା ହଂସଲ ମେହେଟାଙ୍କ ୱେବ୍ ସିରିଜ୍ ‘ସ୍କୁପ୍’ରେ ନଜର ଆସିଥିଲେ।

