ମହିଳାଙ୍କୁ ଦୁଷ୍କର୍ମ, ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ ଅଭିଯୋଗ; ୨ ବର୍ଷ ଧରି ଫେରାର ଥିବା MBA ଗ୍ରାଜୁଏଟ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବା, ଅଶ୍ଳୀଳ ଫଟୋ ଓ ଭିଡିଓ ରେକର୍ଡ କରି ବ୍ଲାକମେଲ୍ କରିବା ଅଭିଯୋଗରେ ଦୁଇ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ମୁଦିତ ଚାୱଲା ଓରଫ ରାଜବୀର ଚାୱଲା ବୋଲି ଜଣାପଡ଼ିଛି। ସେ ୨୦୨୪ ମସିହାରୁ ପରିଚୟ ବଦଳାଇ ଏବଂ ବାରମ୍ବାର ଠିକଣା ପରିବର୍ତ୍ତନ କରି ପୁଲିସକୁ ଚକମା ଦେଉଥିଲେ। ଜୁଲାଇ ୨୯ରେ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ସ୍ୱାମୀ ଏକ ହତ୍ୟା ମାମଲାରେ ତିହାର ଜେଲରେ ଥିବା ସମୟରେ ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ। ପରେ ଅଭିଯୁକ୍ତ ପୀଡ଼ିତାଙ୍କ ବିଶ୍ୱାସ ଜିତି ତାଙ୍କୁ ନିଜ ଘରକୁ ଡାକିଥିଲେ। ସେଠାରେ ତିନି ବର୍ଷର ଶିଶୁକୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ପୀଡ଼ିତାଙ୍କୁ ଅଚେତ କରିଦେବା ପାଇଁ ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଏହାପରେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ରେକର୍ଡ କରି ଦୀର୍ଘଦିନ ଧରି ବ୍ଲାକମେଲ୍ କରି ବାରମ୍ବାର ଯୌନ ଶୋଷଣ କରୁଥିଲେ ବୋଲି ପୁଲିସ କହିଛି।
ଅସହ୍ୟ ନିର୍ଯାତନା ପରେ ପୀଡ଼ିତା ଘଟଣା ସମ୍ପର୍କରେ ସ୍ୱାମୀଙ୍କୁ ଜଣାଇଥିଲେ। ଏହାପରେ ୨୦୨୪ ସେପ୍ଟେମ୍ବର ୧୯ରେ ଦ୍ୱାରକା ନର୍ଥ ଥାନାରେ ଦୁଷ୍କର୍ମ ଓ ଧମକ ସମ୍ପର୍କିତ ଧାରାରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେବା ପରେ ୨୦୨୫ ଜାନୁଆରୀ ୨୯ରେ ଅଦାଲତ ତାଙ୍କୁ ପଳାତକ ଅଭିଯୁକ୍ତ ଘୋଷଣା କରିଥିଲେ। ପରେ କ୍ରାଇମ୍ ବ୍ରାଞ୍ଚର ଏନ୍ଡିଆର୍ ଟିମ୍ ବୈଷୟିକ ନଜରଦାରି ଓ ଗୁଇନ୍ଦା ସୂଚନା ଆଧାରରେ ତାଙ୍କୁ ଗିରଫ କରିଛି। ପୁଲିସ କହିଛି, ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ସାତଟି ଅପରାଧିକ ମାମଲା ରହିଛି। ସେ ଦିଲ୍ଲୀରୁ ସ୍ନାତକ ଏବଂ ପୁଣେରୁ MBA କରିଥିବା ବେଳେ ପୂର୍ବରୁ ଏୟାରଟେଲ୍ ଓ ଡେଲ୍ କମ୍ପାନିରେ କାମ କରିଥିଲେ। ବର୍ତ୍ତମାନ ପୁଲିସ ତଦନ୍ତ କରୁଛି ଯେ, ସେ ଏହିଭଳି ଉପାୟରେ ଅନ୍ୟ କୌଣସି ମହିଳାଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ କି ନାହିଁ।

