ପେଲେଟ୍ ଗନ୍ ବ୍ୟବହାର ମାର୍ଗଦର୍ଶିକା ମାଗିଲେ ସୁପ୍ରିମକୋର୍ଟ, ନିଟ୍ ଆନ୍ଦୋଳନକାରୀଙ୍କ ବିରୋଧରେ ମାମଲା ନ କରିବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି
ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ ପାଇଁ ପେଲେଟ୍ ଗନ୍ ବ୍ୟବହାର ସମ୍ପର୍କିତ ମାର୍ଗଦର୍ଶିକା ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଯନ୍ତର ମନ୍ତରରେ ନିଟ୍ ଛାତ୍ର ଆନ୍ଦୋଳନ ସମୟରେ କେତେଥର ପେଲେଟ୍ ଗନ୍ ବ୍ୟବହାର କରାଯାଇଥିଲା, ସେ ସମ୍ପର୍କିତ ତଥ୍ୟ ମଧ୍ୟ ଦାଖଲ କରିବାକୁ କୁହାଯାଇଛି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ପେଲେଟ୍ ଗନ୍କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇପାରିବ ନାହିଁ, କିନ୍ତୁ ଏହା କେଉଁ ପରିସ୍ଥିତିରେ ଓ କିଭଳି ବ୍ୟବହାର କରାଯିବ ସେନେଇ ସରକାରଙ୍କ ମାର୍ଗଦର୍ଶିକା ଆଦାଲତରେ ଉପସ୍ଥାପନ କରିବାକୁ ପଡ଼ିବ।
ଆଦାଲତରେ ଦାଖଲ ହୋଇଥିବା ଆବେଦନରେ ନିଟ୍ ଆନ୍ଦୋଳନ ସମୟରେ ପେଲେଟ୍ ଗନ୍ ବ୍ୟବହାରରେ ଅତିକମରେ ୫ ଜଣ ଆହତ ହୋଇଥିବା ଅଭିଯୋଗ କରାଯାଇଛି। ଏହି ମଧ୍ୟରେ ଆହତ ୨୫ ବର୍ଷୀୟ ଶେଖ୍ ଇରସାଦ୍ ମନସୁରୀଙ୍କ ଡାକ୍ତରୀ ରିପୋର୍ଟ ସାମ୍ନାକୁ ଆସିଛି। ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡ, ବେକ, କାନ୍ଧ, ଓଠ ଓ ବାମ ଆଖି ନିକଟରୁ ୨ରୁ ୩ ମିଲିମିଟର ଆକାରର ଏକାଧିକ ଧାତବ ଖଣ୍ଡ ବାହାର କରାଯାଇଥିବା ବେଳେ କିଛି ଖଣ୍ଡ ଅଧିକ ବିପଦ ଆଶଙ୍କାରୁ ବାହାର କରାଯାଇନାହିଁ।
ଅନ୍ୟପଟେ, ଦିଲ୍ଲୀ ସରକାର ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ବିରୋଧରେ ପ୍ରତିବାଦ କରିଥିବା ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ବିରୋଧରେ କୌଣସି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନକରିବାକୁ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଆଧାର କରି ସରକାର ୧୩ଟି ଏଫ୍ଆଇଆର୍ରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନକରିବା ଏବଂ ପୂର୍ବରୁ ଅଟକ କିମ୍ବା ଗିରଫ ହୋଇଥିବା ଛାତ୍ରଛାତ୍ରୀଙ୍କ ମାମଲା ସମୀକ୍ଷା କରି ସେମାନଙ୍କୁ ମୁକ୍ତ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି କୋହଳତା ପ୍ରଯୁଜ୍ୟ ହେବ ନାହିଁ।

