Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ପେନର ସିଉଟାରେ ସମୁଦ୍ର ପଥରେ ପ୍ରବେଶ କଲେ ୩ ହଜାର ପ୍ରବାସୀ, ଜରୁରିସ୍ଥିତି ଘୋଷଣା ଦାବି

ସ୍ପେନର ଉତ୍ତର ଆଫ୍ରିକୀୟ ଏନକ୍ଲେଭ୍ ସିଉଟାରେ ଗୁରୁବାର ସମୁଦ୍ର ଓ ସୀମାବାଡ଼ ଡେଇଁ ପ୍ରାୟ ୨ ହଜାରରୁ ୩ ହଜାର ମୋରୋକ୍କୋ ପ୍ରବାସୀ ପ୍ରବେଶ କରିଛନ୍ତି। ପ୍ରବାସୀଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ ସୀମାରେ ମୁତୟନ ସୁରକ୍ଷାକର୍ମୀ ସେମାନଙ୍କୁ ରୋକିବାରେ ବିଫଳ ହୋଇଥିଲେ। ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ଅନେକ ପ୍ରବାସୀ ଇନଫ୍ଲେଟେବଲ୍ ଟ୍ୟୁବ୍ ଓ ଅସ୍ଥାୟୀ ଭାସମାନ ସାମଗ୍ରୀ ସାହାଯ୍ୟରେ ସମୁଦ୍ର ପାର ହେଉଥିବା ଦେଖିବାକୁ ମିଳିଛି। ୨୦୨୧ ପରେ ସିଉଟାରେ ଏହା ସବୁଠାରୁ ବଡ଼ ପ୍ରବାସୀ ପ୍ରବେଶ ଘଟଣା ବୋଲି କୁହାଯାଉଛି।

ପରିସ୍ଥିତି ଅଣାୟତ୍ତ ହେବା ପରେ ସିଉଟାର ଆଞ୍ଚଳିକ ସରକାର ମାଡ୍ରିଡ୍‌କୁ ଜରୁରିସ୍ଥିତି ଘୋଷଣା କରିବା, ଅତିରିକ୍ତ ସୁରକ୍ଷା ବଳ ମୁତୟନ କରିବା ଏବଂ ମୋରୋକ୍କୋ ସୀମାକୁ ସାମୟିକ ଭାବେ ବନ୍ଦ କରିବାକୁ ଦାବି କରିଛନ୍ତି। ତେବେ ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ତୁରନ୍ତ ସେନା ମୁତୟନ କରିବାର କୌଣସି ଯୋଜନା ନଥିବା କହିଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି, ସରକାର ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ମୋରୋକ୍କୋ ଓ ଅନ୍ତର୍ଜାତୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

ଏହି ଘଟଣା ପରେ ସ୍ପେନର ସୁପ୍ରିମକୋର୍ଟଙ୍କ ନିକଟରେ ହୋଇଥିବା ଏକ ରାୟକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ସମୁଦ୍ର ପଥରେ ସିଉଟା କିମ୍ବା ମେଲିଲାରେ ପ୍ରବେଶ କରୁଥିବା ପ୍ରବାସୀଙ୍କୁ ତୁରନ୍ତ ଫେରାଇ ଦେବା ଉପରେ ଏହି ରାୟରେ କଟକଣା ଲଗାଯାଇଥିବାରୁ ଅଧିକ ଲୋକ ସମୁଦ୍ର ପଥ ବାଛୁଥିବା ଆଶଙ୍କା କରାଯାଉଛି। ଏହାକୁ ନେଇ ସ୍ପେନରେ ଅବୈଧ ପ୍ରବାସ ଓ ସୀମା ସୁରକ୍ଷା ପ୍ରସଙ୍ଗ ପୁଣିଥରେ ରାଜନୈତିକ ବିତର୍କର କେନ୍ଦ୍ରବିନ୍ଦୁ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories