ମୃତ୍ୟୁ ସଂଖ୍ୟାକୁ ନେଇ ଘଟଣାସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଲେ ବଡ଼ ପ୍ରଶ୍ନ


ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ହୃଦୟଥରା ରେଳ ଦୁର୍ଘଟଣାରେ ପୂରା ଦେଶ ସ୍ତବ୍ଧ। ଗୋଟିଏ ମାଲବାହୀ ଏବଂ ୨ଟି ଏକ୍ସପ୍ରେସ୍ ମଧ୍ୟରେ ଭୀଷଣ ଧକ୍କାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ଘଟିଛି। ଦୁର୍ଘଟଣାରେ ୯୦୦ରୁ ଅଧିକ ଆହତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି। ଏହି ଦୁର୍ଘଟଣାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି। ବିରୋଧୀ ଦଳଗୁଡ଼ିକ ରେଲଓ୍ଵେର ‘କବଚ ସୁରକ୍ଷା’ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି। ତେବେ ଦୁର୍ଘଟଣାସ୍ଥଳରେ ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ମୃତ ସଂଖ୍ୟାକୁ ନେଇ ଏହି କଥା କଟାକଟି ହୋଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳ ମନ୍ତ୍ରୀଙ୍କ ଉପସ୍ଥିତିରେ ରେଳ ଦୁର୍ଘଟଣାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏତେ ବଡ଼ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫୦୦ ହେବ। ତେବେ ୫୦୦ ନୁହେଁ ମୃତ୍ୟୁ ସଂଖ୍ୟା ୨୩୮ ବୋଲି କହିଥିଲେ ଅଶ୍ଵିନୀ ବୈଷ୍ଣବ। ଆହୁରି ୩ଟି ବଗିରେ ମୃତଦେହ ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ମମତା କହିଥିଲେ। ଉତ୍ତରରେ ବୈଷ୍ଣବ କହିଛନ୍ତି ଉଦ୍ଧାରକାର୍ଯ୍ୟ ସରିଗଲାଣି। ଆଣ୍ଟି କୋଲିସନ ସିଷ୍ଟମ ଥିଲେ ଦୁର୍ଘଟଣା ଘଟିନଥାନ୍ତା ବୋଲି କହିଛନ୍ତି ମମତା। ଯଦି ଟ୍ରେନରେ ଡିଭାଇସ ଥାଆନ୍ତା ତେବେ ଏହି ଦୁର୍ଘଟଣା ଘଟିନଥାନ୍ତା। ଏହି ସମୟରେ ଘଟଣାସ୍ଥଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ।

ମମତା ଏହା ମଧ୍ୟ କହିଛନ୍ତି, କରମଣ୍ଡଳ ଏକ୍ସପ୍ରେସ୍ ସବୁଠୁ ଭଲ ଏକ୍ସପ୍ରେସ୍ ଟ୍ରେନ ମଧ୍ୟରୁ ଏକ। ମୁଁ ୩ ଥର ରେଳ ମନ୍ତ୍ରୀ ରହିଛି। ମୋ ଦେଖିବାରେ ଏକବିଂଶ ଶତାବ୍ଦୀର ଏହା ହେଉଛି ସବୁଠୁ ବଡ଼ ରେଳ ଦୁର୍ଘଟଣା। ଏହାର ତଦନ୍ତ ରେଲଓ୍ଵେ ସୁରକ୍ଷା ଆୟୋଗ ଦ୍ଵାରା କରାଯାଉ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସେ ନିଜ ରାଜ୍ୟର ମୃତକଙ୍କ ପରିଜନ ପ୍ରତି ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

ଅନ୍ୟପଟେ ପାଖାପାଖି ୧୯ ଘଣ୍ଟା ହେବ ଜାରି ରହିଥିବା ଉଦ୍ଧାରକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛି ଘଣ୍ଟା ଭିତରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇଯିବ। ଏହି ଭୟାବହ ଦୁର୍ଘଟଣା ପରେ ୧୨ଟି ଟ୍ରେନ ବାତିଲ୍ ହୋଇଥିବା ବେଳେ ୪ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୟରେ ଗୃହ ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ଥିଲେ।