ଇବୋଲାର ଆତଙ୍କ! ଆଲର୍ଟରେ ସରକାର; କ୍ୱାରେଣ୍ଟାଇନ୍ରେ BSF ଯବାନ, ବିଭିନ୍ନ ବୀମାନବନ୍ଦରରେ ୧୦,୯୭୪ ଯାତ୍ରୀଙ୍କ ଯାଞ୍ଚ
ନୂଆଦିଲ୍ଲୀ: ବିଶ୍ୱରେ ଇବୋଲା ସଂକ୍ରମଣକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଭାରତରେ ମଧ୍ୟ ଇବୋଲାକୁ ନେଇ ସତର୍କତା ବଢ଼ାଯାଇଛି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC)ରୁ ଫେରିଥିବା ୫୨ ବର୍ଷୀୟ BSF ଯବାନଙ୍କଠାରେ ଇବୋଲା ସଦୃଶ ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ (RML) ହସ୍ପିଟାଲରେ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଯବାନ ଜାତିସଂଘର ଏକ ଶାନ୍ତିରକ୍ଷା ମିଶନରୁ ଜୁଲାଇ ୧୧ରେ ସେ ଭାରତ ଫେରିଥିଲେ। ଇବୋଲା ପ୍ରଭାବିତ ଅଞ୍ଚଳରୁ ଆସିଥିବାରୁ ତାଙ୍କୁ ୨୧ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା।
କ୍ୱାରେଣ୍ଟାଇନ୍ର ୨୦ତମ ଦିନ ସନ୍ଧ୍ୟାରେ ଯବାନଙ୍କଠାରେ ହଠାତ୍ ଅଧିକ ଜ୍ୱର ଓ ଶରୀରବ୍ୟଥା ଲକ୍ଷଣ ପ୍ରକାଶ ପାଇଥିଲା। ଇବୋଲାର ପ୍ରାରମ୍ଭିକ ଲକ୍ଷଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଅଧିକାରୀମାନେ ତୁରନ୍ତ ତାଙ୍କୁ RML ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ତାଙ୍କର ରକ୍ତ ନମୁନା ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)କୁ ପରୀକ୍ଷା ପାଇଁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେପର୍ଯ୍ୟନ୍ତ ତାଙ୍କୁ କଡ଼ା ନଜରଦାରୀରେ ରଖାଯାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଇବୋଲା ପ୍ରକୋପକୁ ଜନସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଭାବେ ଘୋଷଣା କରିବା ପରେ ଭାରତ ସରକାର ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ସଂସଦରେ ସୂଚନା ଦେଇଛନ୍ତି ଯେ, ମେ’ ୨୩ରୁ ଏପର୍ଯ୍ୟନ୍ତ କଙ୍ଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଡାନ ଭଳି ଇବୋଲା ପ୍ରଭାବିତ ଦେଶରୁ ଆସିଥିବା ୧୦,୯୭୪ ଜଣ ଆନ୍ତର୍ଜାତୀୟ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି। ଏଥିମଧ୍ୟରୁ ମୁମ୍ବାଇ ବିମାନବନ୍ଦରରେ ସର୍ବାଧିକ ୭,୫୬୮, ଦିଲ୍ଲୀରେ ୧,୮୩୩, ହାଇଦ୍ରାବାଦରେ ୫୩୨, ଚେନ୍ନାଇରେ ୨୧୦, ବେଙ୍ଗାଲୁରୁରେ ୨୦୫ ଏବଂ ଅହମଦାବାଦରେ ୨୦୦ ଯାତ୍ରୀଙ୍କ ଯାଞ୍ଚ କରାଯାଇଛି। ଦେଶର ବିଭିନ୍ନ ହସ୍ପିଟାଲରେ ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରାଯାଇଥିବାବେଳେ ବିମାନବନ୍ଦରଗୁଡ଼ିକରେ ଅତିରିକ୍ତ ଡାକ୍ତରୀ ଟିମ୍ ନିୟୋଜିତ କରାଯାଇଛି ଏବଂ ଜରୁରୀ ପରିସ୍ଥିତି ପାଇଁ ଦେଶବ୍ୟାପୀ ମକ୍ ଡ୍ରିଲ୍ ମଧ୍ୟ କରାଯାଇଛି।

