ଆସାମ ବନ୍ୟାରେ ଧୋଇଗଲା ୮୦୦ ମିଟର ରେଳ ଟ୍ରାକ୍; ଟ୍ରେନ୍ ଚଳାଚଳ ବନ୍ଦ
ଆସାମ: ଆସାମରେ ଭୟାବହ ବନ୍ୟା ଯୋଗୁଁ ଭାରତୀୟ ରେଳବାଇର ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଶିବସାଗର, ଚରାଇଦେଓ ଓ ଜୋରହାଟ ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଟିନସୁକିଆ ଡିଭିଜନ ଅଧୀନରେ ଅନେକ ସ୍ଥାନରେ ରେଳ ଟ୍ରାକ୍ ପୁରା ଧୋଇଯାଇଛି। ଫଳରେ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଗତ ଜୁଲାଇ ୧୯ ତାରିଖ ରାତି ପ୍ରାୟ ୯ଟା ୪୫ ମିନିଟ୍ରେ ଡିଖୋ ଓ ଦିରାକା ନଦୀର ହଠାତ୍ ବନ୍ୟାଜଳ ସମଗ୍ର ଅଞ୍ଚଳକୁ ଜଳମଗ୍ନ କରିଦେଇଥିଲା। ଅଳ୍ପ ସମୟ ମଧ୍ୟରେ ବନ୍ୟାଜଳ ରେଳ ଲାଇନ୍ ଉପରେ ପ୍ରବାହିତ ହୋଇ ପ୍ରାୟ ୮୦୦ ମିଟର ରେଳ ଟ୍ରାକ୍କୁ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଥିଲା। ଏହି ବିପର୍ଯ୍ୟୟରେ ଲୋନପୁରିଆ, ଭଟରବାରୀ, ଦାରିକିଆଲ, ଗୋମୋଠା ଓ ଅଭୟପୁରିଆ ସମେତ ଅନେକ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଘରବାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି। କେତେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଥିବା ସୂଚନା ମିଳିଛି।
ବନ୍ୟା ପରେ ଗତ ଦୁଇ ସପ୍ତାହ ଧରି ରେଳବାଇର ଇଞ୍ଜିନିୟର ଓ କର୍ମଚାରୀମାନେ କ୍ଷତିଗ୍ରସ୍ତ ଟ୍ରାକ୍ର ମରାମତି କାମରେ ନିୟୋଜିତ ଅଛନ୍ତି। ଶିବସାଗର ଏବଂ ଚରାଇଦେଓ ଜିଲ୍ଲାର ସିମୁଲଗୁରି ଜଙ୍କସନ୍-ଲାଖୱା ଷ୍ଟେସନ୍ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ସମ୍ପୂର୍ଣ୍ଣ ଟ୍ରାକ୍ ପୁନରୁଦ୍ଧାର କରି ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଆହୁରି ପ୍ରାୟ ତିନି ସପ୍ତାହ ସମୟ ଲାଗିବ। ସ୍ଥାନୀୟ ଲୋକମାନେ ଯଥାଶୀଘ୍ର ଟ୍ରେନ୍ ସେବା ପୁନରାରମ୍ଭ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

