ଆନ୍ଧ୍ରପ୍ରଦେଶକୁ ୧୮ ହଜାର କୋଟିର ଉପହାର! ଗ୍ରୀନଫିଲ୍ଡ ବିମାନବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ଆନ୍ଧ୍ରପ୍ରଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଦିନିଆ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତ ଅବସରରେ ଆନ୍ଧ୍ରପ୍ରଦେଶରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁଙ୍କ ଉପସ୍ଥିତିରେ ସେ ଭୋଗାପୁରମଠାରେ ନିର୍ମିତ ଗ୍ରୀନଫିଲ୍ଡ ‘ଅଲ୍ଲୁରି ସୀତାରାମ ରାଜୁ ଆନ୍ତର୍ଜାତୀୟ ବିମାନବନ୍ଦର’ର ଉଦ୍ଘାଟନ କରିଥିଲେ।
ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ (PPP) ମଡେଲରେ ୫,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟରେ ପ୍ରତିବର୍ଷ ୬୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାର କ୍ଷମତା ରହିଛି। ବିଜୟନଗରମ ଜିଲ୍ଲା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରର ଯାତ୍ରୀ ଟର୍ମିନାଲ ପରିଦର୍ଶନ କରିବା ସହ ଆଦିବାସୀ ସମ୍ପ୍ରଦାୟଙ୍କ ପାରମ୍ପରିକ ‘ଧିମ୍ସା’ ନୃତ୍ୟ ପ୍ରଦର୍ଶନ ମଧ୍ୟରେ ଆୟୋଜିତ ଏକ ବିଶାଳ ରୋଡ୍ ଶୋ’ରେ ଅଂଶଗ୍ରହଣ କରିଥିଲେ।
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବିଶାଖାପଟ୍ଟଣମରେ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ’ ଅଧୀନରେ ୪୬୦ କୋଟି ଟଙ୍କାରୁ ଅଧିକ ବ୍ୟୟର ‘ଏଏସ୍ଆଇପି ସେମିକଣ୍ଡକ୍ଟର’ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସମଗ୍ର ଗସ୍ତରେ ଆନ୍ଧ୍ରପ୍ରଦେଶର ଭିତ୍ତିଭୂମି, ବିମାନ ପରିବହନ ଓ ପ୍ରଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।

