BRICSରେ ଭାରତର ସବୁଠାରୁ ବଡ଼ ଶକ୍ତି ଥିଲା ଯୁବଶକ୍ତି,୨୫ ବର୍ଷ ପରେ ବି ରୋଜଗାର ସବୁଠାରୁ ବଡ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ୨୦୦୧ ମସିହାରେ ଗୋଲ୍ଡମ୍ୟାନ୍ ସାକ୍ସର ଅର୍ଥନୀତିଜ୍ଞ ଜିମ୍ ଓ’ନିଲ୍ ପ୍ରଥମେ BRIC (ବ୍ରାଜିଲ୍, ରୁଷ, ଭାରତ ଓ ଚୀନ୍) ଧାରଣାକୁ ବିଶ୍ୱ ସମ୍ମୁଖରେ ଆଣିଥିଲେ। ସେତେବେଳେ ଭାରତର ସବୁଠାରୁ ବଡ଼ ଶକ୍ତି ଭାବେ ଏହାର ବିଶାଳ ଯୁବ ଜନସଂଖ୍ୟାକୁ ଦେଖାଯାଇଥିଲା। ଆଶା କରାଯାଉଥିଲା ଯେ, ଏହି ଯୁବଶକ୍ତି ଭାରତକୁ ବିଶ୍ୱର ଅଗ୍ରଣୀ ଅର୍ଥନୀତିରେ ପରିଣତ କରିବ। ୨୫ ବର୍ଷ ପରେ BRICS ୧୧ ସଦସ୍ୟ ବିଶିଷ୍ଟ ଏକ ବଡ଼ ଗୋଷ୍ଠୀରେ ପରିଣତ ହୋଇଥିଲେ ମଧ୍ୟ, ଭାରତ ନିଜର ଜନସଂଖ୍ୟାଗତ ସୁବିଧାକୁ ପୂର୍ଣ୍ଣ ଭାବେ ରୋଜଗାରରେ ପରିଣତ କରିପାରିଛି କି ନାହିଁ, ତାହା ଏବେ ବି ଏକ ବଡ଼ ପ୍ରଶ୍ନ ହୋଇ ରହିଛି।
୨୦୦୦ ଦଶକ ଆରମ୍ଭରେ ପ୍ରତିବର୍ଷ ପ୍ରାୟ ଏକ କୋଟି ଯୁବକ କର୍ମକ୍ଷେତ୍ରକୁ ପ୍ରବେଶ କରୁଥିଲେ। ସେହି ସମୟରେ ପୂର୍ବରୁ ରୋଜଗାର ଅପେକ୍ଷାରେ ଥିବା ଲକ୍ଷାଧିକ ଲୋକଙ୍କ ସହ ନୂଆ କର୍ମପ୍ରାର୍ଥୀଙ୍କ ପାଇଁ ମଧ୍ୟ ଚାକିରି ସୃଷ୍ଟି କରିବା ଆବଶ୍ୟକ ଥିଲା। ବିଭିନ୍ନ ସରକାରୀ ଯୋଜନା ଓ ବିଶେଷଜ୍ଞ କମିଟି ୭୨ରୁ ୧୦୦ ମିଲିୟନ୍ ନୂଆ ଚାକିରି ସୃଷ୍ଟିର ସୁପାରିସ କରିଥିଲେ। ଦଶମ, ଏକାଦଶ ଓ ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ମଧ୍ୟ କୋଟି କୋଟି ରୋଜଗାର ସୃଷ୍ଟିର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବାସ୍ତବରେ ୨୦୦୦-୦୧ରୁ ୨୦୦୯-୧୦ ମଧ୍ୟରେ ଅଣ-କୃଷି କ୍ଷେତ୍ରରେ ମାତ୍ର ୫୬ ମିଲିୟନ୍ ଚାକିରି ସୃଷ୍ଟି ହୋଇଥିଲା ଏବଂ ଉତ୍ପାଦନ କ୍ଷେତ୍ରର ଅବଦାନ ଥିଲା କେବଳ ୬.୬ ମିଲିୟନ୍। ଅର୍ଥାତ୍ ପାଞ୍ଚ ବର୍ଷରେ ଯାହା ହେବା କଥା ଥିଲା, ତାହା ପୂରଣ ହେବା ପାଇଁ ପୂରା ଦଶ ବର୍ଷ ଲାଗିଯାଇଥିଲା।
ରୋଜଗାର ସଂକଟର ପ୍ରଭାବ ଆଜି ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ସରକାରୀ ଚାକିରି ପାଇଁ ଅତ୍ୟଧିକ ଆବେଦନ ଏହାର ବଡ଼ ଉଦାହରଣ। ୨୦୦୩ରେ ରେଳବାଇର ୨୦ ହଜାର ପଦ ପାଇଁ ୭୪ ଲକ୍ଷ ଆବେଦନ ଆସିଥିବାବେଳେ, ୨୦୨୪ରେ ଆରପିଏଫ୍ ସବ୍-ଇନ୍ସପେକ୍ଟରର ୪୫୨ଟି ପଦ ପାଇଁ ୧୫.୩୫ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ। ସେହିପରି ୨୦୨୫ରେ ରାଜସ୍ଥାନର ୫୩ ହଜାର ପିଅନ୍ ପଦ ପାଇଁ ୨୫ ଲକ୍ଷରୁ ଅଧିକ ଆବେଦନ ହୋଇଥିଲା, ଯେଉଁଥିରେ ବିଜ୍ଞାନ ସ୍ନାତକୋତ୍ତର, ବିଟେକ୍ ଏବଂ ପିଏଚ୍ଡି ଡିଗ୍ରୀଧାରୀମାନେ ମଧ୍ୟ ଥିଲେ। ବିଭିନ୍ନ ନିର୍ବାଚନ ପୂର୍ବ ସର୍ଭେରେ ବେରୋଜଗାରୀ ଓ ଦରବୃଦ୍ଧି ଦେଶର ସବୁଠାରୁ ବଡ଼ ଜନସମସ୍ୟା ଭାବେ ସାମ୍ନାକୁ ଆସିଛି। ବିଶେଷଜ୍ଞମାନଙ୍କ ମତରେ, ଭାରତ ପାଖରେ ବିଶ୍ୱର ସବୁଠାରୁ ବଡ଼ ଯୁବଶକ୍ତି ରହିଥିଲେ ମଧ୍ୟ, ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି ନ ହେଲେ ଏହି ‘ଡେମୋଗ୍ରାଫିକ୍ ଡିଭିଡେଣ୍ଡ’ ସୁଯୋଗରେ ପରିଣତ ହେବା ପରିବର୍ତ୍ତେ ଏକ ବଡ଼ ଚ୍ୟାଲେଞ୍ଜରେ ପରିଣତ ହୋଇପାରେ ଭବିଷ୍ୟତରେ |

